ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇ ନିଜ ପତ୍ନୀକୁ ଦୁଷ୍କର୍ମ କରିଥିବା ଜଣେ ସ୍ୱାମୀ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାୟରେ ହାଇକୋର୍ଟ କହିଛନ୍ତି ଯେ, ଦୁଷ୍କର୍ମ ହେଉଛି ଦୁଷ୍କର୍ମ, ଜଣେ ସ୍ୱାମୀ ନିଜ ସ୍ତ୍ରୀ ଉପରେ ତାହା କରିଥିଲେ ବି ତାହାକୁ ଦୁଷ୍କର୍ମ ବୋଲି ଧରାଯିବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ଜଣେ ପୁରୁଷକୁ ନିଜ ପତ୍ନୀ ଉପରେ ଏପରି ପାଶବିକ ଅତ୍ୟାଚାର କରିବାକୁ କୌଣସି ସ୍ୱତନ୍ତ୍ର ଅଧିକାର ଦିଏ ନାହିଁ, ଦେବା ଉଚିତ ନୁହେଁ ।
କିନ୍ତୁ ଆଜିର ରାୟ ସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ରାୟ ମାଧ୍ୟମରେ କେବଳ ସଂପୃକ୍ତ ସ୍ୱାମୀ ବିରୋଧରେ ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହା ବୈବାହିକ ଦୁଷ୍କର୍ମକୁ ଅପରାଧ ମାନ୍ୟତା ପ୍ରଦାନ ସଂପର୍କିତ ନୁହେଁ । ବୈବାହିକ ଦୁଷ୍କର୍ମକୁ ଅପରାଧ ମାନ୍ୟତା ଦେବା କାର୍ଯ୍ୟ ବ୍ୟବସ୍ଥାପିକା (ସଂସଦ)ର କାର୍ଯ୍ୟ । ବ୍ୟବସ୍ଥାପିକା ବିଭିନ୍ନ ପରିସ୍ଥିତି, ବିଭିନ୍ନ ପକ୍ଷ ଓ ପରିଣତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବ । ବର୍ତ୍ତମାନ ଭାରତୀୟ ଦଣ୍ଡବିଧି ସଂହିତାରେ ବୈବାହିକ ଦୁଷ୍କର୍ମ ଅପରାଧ ଆଖ୍ୟା ଦିଆଯାଇ ନାହିଁ । ତେବେ ଏହାକୁ ଅପରାଧ ମାନ୍ୟତା ଦେବାକୁ ଦେଶରେ ବିଗତ କିଛି ବର୍ଷ ହେଲା ବିତର୍କ ଜାରି ରହିଛି ।