ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧଭାବେ ବିଜ୍ଞପ୍ତି ଜାରି ହୋଇଛି । ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇସାରାକୁ ଉଭୟ ଦଳର ଆଶାୟୀ ଓ ବିଜେପି ଅନାଇ ବସିଛି । ନବୀନଙ୍କ ବିନା ବିଜେପି ରାଜ୍ୟସଭା ଜିତିବା ସମ୍ଭବ ନୁହେଁ । ଅନ୍ୟ ପଟରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆଶଙ୍କା ସୃଷ୍ଟି କରିବା ପାଇଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶା ବାନ୍ଧିଥିଲା ତାହା ନିରାଶାରେ ପରିଣତ ହୋଇଛି । କାରଣ ସିପିଏମ ରାଜ୍ୟସଭା ନିର୍ବାଚନରେ ସାମିଲ ହେବନାହିଁ କିମ୍ବା କାହାରିକୁ ସମର୍ଥନ ଦେବ ନାହିଁ ବୋଲି ଘୋଷଣା କରିଛି । ଏଣୁ ଏବେ ବିଜେପି-ବିଜେଡି କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।
ରାଜ୍ୟସଭା ନିର୍ବାଚନରେ କେବଳ ବିଧାୟକମାନେ ହିଁ ଭୋଟ ଦେଇଥାନ୍ତି । ଏଥିରେ କଂଗ୍ରେସର ମାତ୍ର ୯ଜଣ ବିଧାୟକ ଅଛନ୍ତି । ସିପିଏମର ଜଣେ ବିଧାୟକ ଅଛନ୍ତି । ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ସର୍ବନିମ୍ନ ୧୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । କଂଗ୍ରେସ ଏକାକୀ ବିଧାୟକ ପ୍ରାର୍ଥୀ ଦେଇପାରିବ ନାହିଁ । ଜିତାଇବା ତ ଦୂରର କଥା । କଂଗ୍ରେସ ଭାବିଥିଲା ରାଜ୍ୟସଭା ନିର୍ବାଚନକୁ ଖୋଲାଖୋଲି ଛାଡ଼ି ନ ଦେଇ ଦୁଇ ବିରୋଧୀ ବିଜେପି ଓ ବିଜେଡି ମଧ୍ୟରେ ଶଙ୍କା ସୃଷ୍ଟି କରିବାକୁ ସିପିଏମ ସହ ମିଶି ପ୍ରାର୍ଥୀ ଦେଇଥାନ୍ତା । କିନ୍ତୁ ସିପିଏମର ବୈଠକ ବସି ନିଷ୍ପତ୍ତି ନିଆଯାଇଛି ଯେ, ଦଳ ରାଜ୍ୟସଭା ନିର୍ବାଚନରେ ଭାଗ ନେବ ନାହିଁ । ଫଳରେ କଂଗ୍ରେସ ଆଉ ସିପିଏମ ସମର୍ଥନ ନେଇ ପ୍ରାର୍ଥୀ ଦେଇପାରିବ ନାହିଁ । ଏଣୁ ବର୍ତ୍ତମାନ ଯାହା କରିବେ ବିଜେପି-ବିଜେଡି ହିଁ କରିବେ ।
ଏ କ୍ଷେତ୍ରରେ ନବୀନଙ୍କ ଆଭିମୁଖ୍ୟ ଉପରେ ସବୁକିଛି ନିର୍ଭର କରୁଛି । ବିଜେପି ସଂଖ୍ୟା ନ ଥାଇ ଗତଥର ଗୋଟିଏ ଆସନ ନେଇଥିବାରୁ ଏଥର ଭଲ ସଂଖ୍ୟା ଅଛି ଓ ଅଳ୍ପ କିଛି ବିଜେଡିର ସହଯୋଗ ଆବଶ୍ୟକ ପଡୁଛି । ବିଜେଡି ନ ଚାହିଁଲେ ବିଜେପି ଗୋଟିଏ ଆସନ ପାଇବାକୁ ଯେଉଁ ଆଶା ରଖିଛି ତାହା ସମ୍ଭବ ହେବ ନାହିଁ । କଂଗ୍ରେସ ଓ ବାମପନ୍ଥୀ ଦଳ କୌଣସି ପରିସ୍ଥିତିରେ ବିଜେପିକୁ ସମର୍ଥନ ଦେବେନାହିଁ । ଏଣୁ ଗୋଟିଏ ଆସନ ଜିତିବାକୁ ହେଲେ ବିଜେଡିର ସମର୍ଥନ ହିଁ ଆବଶ୍ୟକ । ଏ କ୍ଷେତ୍ରରେ ବିଜେଡି ଯଦି ଏକାକୀ ଖାଲି ହେଉଥିବା ୪ଟି ଯାକ ଆସନରେ ପ୍ରାର୍ଥୀ ଦିଏ ତେବେ ବିଜେପି ଆଶା ମଉଳିଯିବ । ବିଜେପିର ଜମା ୨୩ ଜଣ ବିଧାୟକ ଅଛନ୍ତି । ଜଣେ ପ୍ରାର୍ଥୀକୁ ଜିତିବାକୁ ହେଲେ ୩୦ ଜଣକ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ । ବିଜେଡି ହାତରେ ୧୧୩ ଜଣ ବିଧାୟକ ଅଛନ୍ତି ଓ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ଦେବାର ସମ୍ଭାବନା ରହିଛି । ଏ କ୍ଷେତ୍ରରେ ବିଜେଡିର ପାଲା ଭାରି ରହୁଛି । ଭାଗବାଣ୍ଟି ଦୁଇ ଦଳ ଆସନ ନେଇଗଲେ ଆଉ ନିର୍ବାଚନ ହେବନାହିଁ । କିନ୍ତୁ ବିଜେଡି ଯଦି ୪ ପ୍ରାର୍ଥୀ ଦିଏ ଓ ବିଜେପି ଜିତିବା ଆଶା ନ ଥିଲେ ବି ପ୍ରାର୍ଥୀ ଦିଏ ତେବେ ନିର୍ବାଚନ ଅବଶ୍ୟମ୍ଭାବୀ । ହେଲେ ସେଭଳି ସ୍ଥିତି ଆସିବ ନାହିଁ ।
ବିଜେପି ନେତା ଅମିତ ଶାହ ଆସି ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିସାରିଥିବାରୁ ଦଳ ପାଇଁ ବିଶେଷ ସମସ୍ୟା ଆଉ ହେବ ନାହିଁ ବୋଲି କୁହାଯାଉଛି । ତଥାପି ଆଜିଠାରୁ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବିଜେପି ପ୍ରାର୍ଥୀ ପତ୍ର କିଣିବା ପରେ ଜଣାପଡ଼ିବ ଦଳ ପ୍ରାର୍ଥୀ ଦେବ କି ନାହିଁ । କିନ୍ତୁ ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି କହିସାରିଛନ୍ତି । ମାତ୍ର ଜିତିବା ସମ୍ଭାବନା ନ ଥିଲେ ଓ ନବୀନଙ୍କ ଇସାରା ନ ପାଇଲେ ଦଳ ପ୍ରାର୍ଥୀ ଦେବ ନାହିଁ ଏକଥା ମଧ୍ୟ କୁହାଯାଉଛି । ଏବେ ନବୀନଙ୍କ ଉପରେ ସବୁକିଛି ନିର୍ଭର କରୁଛି ।