ୱାଶିଂଟନ: ଟୁ ପ୍ଲସ୍ ଟୁ ଆଲୋଚନା ପାଇଁ ଆମେରିକା ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି । ଭାରତର କେହି କ୍ଷତିକଲେ, ଭାରତ ଛାଡ଼ିବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି । ସାନ୍ ଫ୍ରାନ୍ସିସ୍କୋ ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ତାଙ୍କ ସମ୍ମାନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସେଠାକାର ଭାରତୀୟ କମ୍ୟୁନିଟିକୁ ଉଦ୍ବୋଧନ ବେଳେ ଚୀନ୍ ସୀମାରେ ଭାରତୀୟ ସେନାର ବାହାଦୁରୀ ସମ୍ପର୍କରେ ରାଜନାଥ କହିଥିଲେ । ସେ କହିଥିଲେ, ମୁଁ ଖୋଲିକରି କହିପାରିବି ନାହିଁ ଭାରତୀୟ ସେନା କ’ଣ କରିଥିଲେ ଏବଂ ଆମେ କ’ଣ ନିଷ୍ପତ୍ତି ନେଇଥିଲୁ ।
ତେବେ ମୁଁ ନିଶ୍ଚିତ ଭାବେ କହିପାରିବି ଚୀନ୍କୁ ଏକ ବାର୍ତ୍ତା ଯାଇଛି ଯେ ଭାରତର କେହି କ୍ଷତିକଲେ ଭାରତ କାହାରିକୁ ଛାଡ଼ିବ ନାହିଁ । ସେ ଆମେରିକାର ଭାରତୀୟ କମ୍ୟୁନିଟିକୁ ଆଶ୍ୱସନା ଦେଇ କହିଛନ୍ତି ଯେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି ଏବଂ ବିଶ୍ୱର ଶୀର୍ଷ ତିନିଟି ଅର୍ଥନୀତିରେ ସାମିଲ ହେବା ପାଇଁ ଆଗକୁ ଅଗ୍ରସର ହେଉଛି । ସେ କହିଥିଲେ, ଭାରତର ଛବି ବଦଳିଯାଇଛି । ଭାରତର ସମ୍ମାନରେ ବୃଦ୍ଧି ଘଟିଛି । ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର କୌଣସି ଶକ୍ତି ଭାରତକୁ ବିଶ୍ୱର ଶୀର୍ଷ ତିନି ଅର୍ଥବ୍ୟବସ୍ଥା ହେବାରୁ ରୋକିପାରିବ ନାହିଁ । ଆମେରିକାକୁ ମଧ୍ୟ ବାର୍ତ୍ତା ଦେଇ ରାଜନାଥ କହିଥିଲେ, ଭାରତ ‘ଜିରୋ ସମ୍ ଗେମ୍’ ଡିପ୍ଲୋମାସିରେ ବିଶ୍ୱାସ କରେନାହିଁ ।
କୌଣସି ଦେଶ ସହିତ ଆମର ସମ୍ପର୍କ ଅନ୍ୟ ଦେଶର କ୍ଷତିକରି ହୋଇପାରିବ ନାହିଁ । ସେ କହିଥିଲେ, ଯଦି ଭାରତର କୌଣସି ଗୋଟିଏ ଦେଶ ସହିତ ଭଲ ସମ୍ପର୍କ ଅଛି, ତେବେ ଏହାର ଅର୍ଥ ନୁହେଁ ଅନ୍ୟ ଦେଶ ସହିତ ସମ୍ପର୍କ ଖରାପ ହୋଇଯିବ । ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତର ସ୍ଥିତି ଏବଂ ରିହାତି ମୂଲ୍ୟରେ ରୁଷ୍ର ତୈଳ କିଣିବା ନିଷ୍ପତ୍ତିକୁ ନେଇ ୱାଶିଂଟନ୍ ବିଚଳିତ ହୋଇପଡ଼ିଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ନିଜ ଭାରତୀୟତାର ପରିଚୟକୁ ବଜାୟ ରଖିଥିବାରୁ ସେ ଆମେରିକାର ଭାରତୀୟ ବଂଶୋଦ୍ଭବଙ୍କୁ ବଧେଇ ଜଣାଇଥିଲେ ।
ଭାରତ ବାହାରେ ରହିଥିବା ଭାରତୀୟ ନିଜକୁ ଭାରତୀୟ କହିବାରେ ଗୌରବ ଅନୁଭବ କରିଥାନ୍ତି ବୋଲି ସେ କହିଥିଲେ । ରାଜନାଥ ଜୋର୍ଦେଇ କହିଥିଲେ ଯେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କରେ ସ୍ଥିରତା ଓ ନିରନ୍ତରତା ରହିଛି । ଏହାକୁ ବଜାୟ ରଖିବାରେ ଉଭୟ ଦେଶର ପ୍ରମୁଖ ଭୂମିକା ରହିଛି । ରାଜନାଥ କହିଥିଲେ ପ୍ରବାସୀ ଭାରତୀୟ ଆମେରିକାରେ ନୂଆ ଉଚ୍ଚତା ଛୁଇଁବା ଆଡ଼କୁ ଅଗ୍ରସର ହେଉଛନ୍ତି ଏବଂ ଏହି ସମ୍ପର୍କରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟ ବଂଶୋଦ୍ଭବ ଆମେରିକାରେ ଯେଉଁ ଉପଲବ୍ଧି ହାସଲ କରିଛନ୍ତି, ତାକୁ ନେଇ ଭାରତବାସୀ ସର୍ବଦା ଗୌରବାନ୍ୱିତ ବୋଲି ସେ କହିଛନ୍ତି ।