ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ବ୍ୟବସାୟରେ ଲିପ୍ତ ରହି ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ସାମ୍ରାଜ୍ୟର ଗୁମର କ୍ରମଶଃ ପଦାକୁ ଆସିଛି। ତେବେ ପ୍ରତ୍ୟେକ ଗ୍ରାହକଙ୍କଠାରୁ କମ୍ପାନୀ କେତେକ ଟଙ୍କା ଆଦାୟ କରୁଥିଲା, ତାହା ସାର୍ବଜନୀନ କରାଯାଇନାହିଁ । ତଥାପି କୁନ୍ଦ୍ରା ଜଣେ ବିଦେଶୀଙ୍କୁ ୧୨ ଲକ୍ଷ ଡଲାର ବିନିମୟରେ ୧୧୯ଟି ଅଶ୍ଳୀଳ ଚଳଚ୍ଚିତ୍ର ବିକ୍ରି କରିବାକୁ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଛି । ଦକ୍ଷଣ ଆଫ୍ରିକାର ଏକ କ୍ରୀଡା ବେଟିଂ କମ୍ପାନୀ ଇତିମଧ୍ୟରେ କୁନ୍ଦ୍ରାଙ୍କ ଆକାଉଣ୍ଟକୁ ପଠାଇଥିବା ଅର୍ଥରୁ ପୁଲିସ ଏହା ଆଶଙ୍କା କରୁଛି ।
ପର୍ଣ୍ଣ ନୁହେଁ, ଏରୋଟିକା ବ୍ୟବସାୟ: ଶିଳ୍ପା
ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟ ସମ୍ପର୍କରେ ମୁମ୍ବାଇ ପୁଲିସ ତନାଘନା ଚଳାଇଥିବାବେଳେ ଶୁକ୍ରବାର କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜୁହୁସ୍ଥିତ ବାସଭବନରେ ଦୀର୍ଘ ୬ ଘଣ୍ଟା ଜେରା କରିଛି । ଶିଳ୍ପା ଏହି ପ୍ରସଙ୍ଗରେ ସ୍ୱାମୀଙ୍କ କଳା କାରନାମା ଢାଙ୍କିବାକୁ ପ୍ରବଳ ଉଦ୍ୟମ କରିଥିବା କୁହାଯାଇଛି । ହଟ୍ସଟ୍ସ ଆପ୍ ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ଏହାର ବିଷୟବସ୍ତୁ ନେଇ ନିର୍ଦ୍ଦିଷ୍ଟ ଧାରଣା ନଥିଲା ବୋଲି ଶିଳ୍ପା କହିଛନ୍ତି। ପର୍ଣ୍ଣୋଗ୍ରାଫି ଓ ଏରୋଟିକା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କର ଶିଳ୍ପା ପୁଲିସକୁ ଜ୍ଞାନ ଦେଇଥିବା ଜଣାପଡିଛି । ତାଙ୍କ ସ୍ୱାମୀ ପର୍ଣ୍ଣ ନୁହେଁ, ଏରୋଟିକା ବ୍ୟବସାୟରେ ସଂପୃକ୍ତ ଥିଲେ ବୋଲି ଶିଳ୍ପା ବୟାନ ଦେଇଛନ୍ତି । ପୁନଶ୍ଚ ଏହି କାରବାରରେ କୁନ୍ଦ୍ରା ନୁହନ୍ତି, ଲଣ୍ଡନରେ ଅବସ୍ଥାନ କରୁଥିବା ତାଙ୍କ (କୁନ୍ଦ୍ରାଙ୍କ) ଭିଣୋଇ ପ୍ରଦୀପ ବକ୍ସି ଏହି ଆପ୍ର ପ୍ରଚାର ଓ ପ୍ରସାର କାର୍ଯ୍ୟକୁ ଆଗେଇ ନେଉଥିବା ଶିଳ୍ପା କହିଛନ୍ତି। କୁନ୍ଦ୍ରା କେବେବି ପର୍ଣ୍ଣ ଚଳଚ୍ଚିତ୍ର ସୁଟିଂ କରୁନଥିଲେ ବୋଲି ଶିଳ୍ପା କହିଛନ୍ତି । ଶିଳ୍ପାଙ୍କର ଏହି ବୟାନକୁ ପୁଲିସ ରେକର୍ଡ କରିଛି ।