ଆବୁଧାବି : ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ଆଇପିଏଲ୍-୧୪ ଦ୍ୱିତୀୟ ଚରଣରେ ୪୭ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍ରେ ବିଜୟୀ ହୋଇଛି । ପ୍ରତିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବ୍ୟାଟିଂ ସୁଯୋଗ ପାଇ ଓପନର ଋତୁରାଜ ଗାଏକ୍ୱାଡ୍ଙ୍କ ରେକର୍ଡ ଶତକ ବଳରେ ୪ ୱିକେଟ୍ ବିନିମୟରେ ୧୮୯ ରନ୍ କରିଥିଲା । ଋତୁରାଜ ମାତ୍ର ୬୦ଟି ବଲ୍ରେ ଶତକ ପୂରଣ କରି ଚେନ୍ନାଇର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ହେବାର ରେକର୍ଡ କରିଥିଲେ । ୨୪ ବର୍ଷ ୨୪୪ ଦିନ ବୟସରେ ଶତକ ପୂରଣ କରିଥିବା ଋତୁରାଜ ଦଳର ନବମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ଏହାଛଡ଼ା ସେ ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶତକ ପୂରଣ କରି ମୁରଲୀ ବିଜୟ (୨୦୧୦) ଓ ଶେନ୍ ୱାଟ୍ସନ୍ (୨୦୧୮) ପରେ ତୃତୀୟ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । କିନ୍ତୁ ରାଜସ୍ଥାନର ବ୍ୟାଟ୍ସମ୍ୟାନ୍ମାନେ ଦମ୍ଦାର ବ୍ୟାଟିଂ କରିବା ଫଳରେ ଋତୁରାଜଙ୍କ ଚମକପ୍ରଦ ଶତକ ଫିକା ପଡ଼ିଛି । ଅନ୍ୟପକ୍ଷରେ ୧୭.୩ ଓଭର୍ରେ ବିଜୟ ଲକ୍ଷ୍ୟରେ ପହଞ୍ଚି ପଞ୍ଚମ ବିଜୟ ପାଇଥିବା ରାଜସ୍ଥାନ ତା’ର ପ୍ଲେଅଫ୍ ଆଶା ବଜାୟ ରଖିଛି । ଦଳର ଏହି ବିଜୟରେ ଓପନର ଯଶସ୍ୱୀ ଜୈସ୍ୱାଲ୍ଙ୍କ ମାତ୍ର ୧୯ ବଲ୍ର ଅର୍ଦ୍ଧଶତକ ଓ ଶିବମ୍ ଦୁବେଙ୍କ ୩୪ ବଲ୍ର ଅର୍ଦ୍ଧଶତକ ମୁଖ୍ୟ ଭୂମିକା ନିର୍ବାହ କରିଛି । ଜୈସ୍ୱାଲ୍ ତାଙ୍କ ଓପନିଂ ଯୋଡ଼ିଦାର ଏଭିନ୍ ଲୁଇସ୍ଙ୍କ ସହ ୫.୨ ଓଭର୍ରେ ୭୭ ରନ୍ ଯୋଡ଼ିବା ସହ ପାୱାରପ୍ଲେ’ରେ ରାଜସ୍ଥାନ ୮୧ ରନ୍ କରି ଆଇପିଏଲ୍ ଇତିହାସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଜୈସ୍ୱାଲ୍ଙ୍କ ଇନିଂସରେ ୬ଟି ଚୌକା ଓ ୩ଟି ଛକା ରହିଥିବା ବେଳେ ଲୁଇସ୍ ୧୨ଟି ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ସହ ୨୭ ରନ୍ କରିଥିଲେ । ଏହାଛଡ଼ା ଅଧିନାୟକ ସଞ୍ଜୁ ସାମ୍ସନ୍ ୪ଟି ଚୌକା ସହ ୨୮ ରନ୍ କରିଥିଲେ । ତୃତୀୟ ୱିକେଟ୍ରେ ଦୁବେଙ୍କ ସହ ସାମ୍ସନ୍ଙ୍କ ସହ ୮୯ ରନ୍ର ଭାଗୀଦାରୀ ଦଳକୁ ବିଜୟ ନିକଟତର କରାଇଥିଲା । ଦୁବେ ୪୨ ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୬୪ ରନ୍ କରି ଏବଂ ଗ୍ଲେନ୍ ଫିଲିପ୍ସ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୪ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଲ୍ ଠାକୁର ୨ଟି ୱିକେଟ୍ ନେଇଥିଲେ । ପୂର୍ବରୁ ଋତୁରାଜଙ୍କ ସହ ପ୍ରଥମ ୱିକେଟ୍ରେ୍ ୪୭ ରନ୍ ଯୋଡ଼ିବା ପରେ ଫାଫ୍ ଡୁପ୍ଲେସିସ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରି ଆଉଟ୍ ହୋଇଥିଲେ । ପରେ ସୁରେଶ ରାଇନା ମାତ୍ର ୩ ରନ୍ କରିଥିବା ବେଳେ ତୃତୀୟ ୱିକେଟ୍ରେ ଋତୁରାଜ ଓ ମୋଇନ୍ ଅଲୀ (୨୧ ରନ୍, ଗୋଟିଏ ଚୌକା ଓ ଗୋଟିଏ ଛକା)ଙ୍କ ମଧ୍ୟରେ ୫୭ ରନର ଭାଗୀଦାରୀ ହୋଇଥିଲା । ଅମ୍ବାତି ରାୟୁଡୁ ମାତ୍ର ୨ ରନ୍ କରିଥିବା ବେଳେ ପଞ୍ଚମ ୱିକେଟ୍ରେ ରବୀନ୍ଦ୍ର ଜାଡେଜା (୧୫ ରନ୍) ଓ ଋତୁରାଜଙ୍କ ମଧ୍ୟରେ ଅବିଭାଜିତ ୫୫ ରନ୍ର ପାର୍ଟନରଶିପ୍ ହୋଇଥିଲା । ଋତୁରାଜ ୯ଟି ଚୌକା ଓ ୫ଟି ଛକା ଏବଂ ଜାଡେଜା ୧୫ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ରାଜସ୍ଥାନ ପକ୍ଷରୁ ଟେୱଟିଆ ୩ଟି ୱିକେଟ୍ ନେଇଥିଲେ ।