ନୂଆଦିଲ୍ଲୀ: ମେଡିକାଲ କଲେଜରେ ନୂତନ ଭାବରେ ପ୍ରବେଶ କରିବାକୁ ଥିବା ଛାତ୍ରଛାତ୍ରୀଙ୍କଠାରୁ ସାଢେ ତିନି ବର୍ଷର ଫିସ ବ୍ୟାଙ୍କ ଗ୍ୟାରେଣ୍ଟି ମାଗିବା ପ୍ରସଙ୍ଗ ଉପରେ ରାଜସ୍ଥାନର ଘରୋଇ ମେଡିକାଲ କଲେଜକୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି । ରାଜସ୍ଥାନ ହାଇକୋର୍ଟ ଏକ ଜନହିତ ଆବେଦନ ଉପରେ ଶୁଣାଣି କରି ବ୍ୟାଙ୍କ ଗ୍ୟାରେଣ୍ଟିନନେବା ପାଇଁ ଆଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୪ ତାରିଖରେ ହେବ । ଘରୋଇ ମେଡିକାଲ କଲେଜ ସଂଚାଳକ, ସୁପ୍ରିମକୋର୍ଟଙ୍କ ଠାରୁ ରହିତାଦେଶ ମିଳିବା ପରେ ଆସନ୍ତା ଶୁଣାଣୀ ପୂର୍ବରୁ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି । ରାଜସ୍ଥାନ ହାଇକୋର୍ଟ ଦୀପେଶ ସିଂ ବେନିବାଲଙ୍କ ଜନହିତ ଆବେଦନ ଉପରେ ଶୁଣାଣୀ କରି ୧୭ ଡିସେମ୍ବରରେ ବ୍ୟାଙ୍କ ଗ୍ୟାରେଣ୍ଟି ନନେବା ପାଇଁ ଆଦେଶ ଜାରି କରିଥିଲେ । ଏହା ଉପରେ ଘରୋଇ ମେଡିକାଲ କଲେଜ ସଂଚାଳକମାନେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ପରେ ସୁପ୍ରିମକୋର୍ଟରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ସହ ଏ ସମ୍ବନ୍ଧିତ ସମସ୍ତ ପକ୍ଷରୁ ନୋଟିସ ଜାରି କରି ଏହାର ଆଗାମୀ ଶୁଣାଣି ୪ ଜାନୁୟାରୀରେ ହେବ ବୋଲି କହିଛନ୍ତି । ରାଜସ୍ଥାନର ସମସ୍ତ ଘରୋଇ ମେଡିକାଲ କଲେଜ ଏମବିବିଏସ ଛାତ୍ରଛାତ୍ରୀଙ୍କ ଉପରେ ଗୋଟିଏ ବର୍ଷର ଫି ସହ ସାଢେ ତିନି ବର୍ଷର ବ୍ୟାଙ୍କ ଗ୍ୟାରେଣ୍ଟୀ ଜମା କରିବା ପାଇଁ ଚାପ ପକାଉଛନ୍ତି । ଏହି ବ୍ୟାଙ୍କ ଗ୍ୟାରେଣ୍ଟି ସମସ୍ତ କଲେଜର ଫିସ ଅନୁସାରେ ହୋଇଥାଏ, ଯାହା ନ୍ୟୁନତମ ଭାବରେ ୫୨.୫୦ ଲକ୍ଷ ହୋଇଥାଏ । ତେବେ ଅଭିଭାବକମାନେ ଚାପରେ ଆସି ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଆଡଭାନ୍ସ ଜମା କରନ୍ତି । ଏହାକୁ ନେଇ ଯୋଦ୍ଧପୁରର ଓକିଲ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଜୋଦ୍ଧପୁରରେ ଜନହିତ ଆବେଦନ କରିଥିଲେ । ସେଥିରେ କୁହାଯାଇଥିଲା ଯେ, ଅଭିଭାବକମାନଙ୍କ ଉପରେ ବ୍ୟାଙ୍କ ଗ୍ୟାରେଣ୍ଟି ପକାଇବା ଦ୍ୱାରା ଅତିରିକ୍ତ ବୋଝ ପଡୁଛି । ଏହା ଉପରେ ଅଦାଲତ ବ୍ୟାଙ୍କ ଗ୍ୟାରେଣ୍ଟି ନନେବା ପାଇଁ ଆଦେଶ କରିବା ସହ ୮ ଜାନୁୟାରୀ ପର୍ଯ୍ୟନ୍ତ ଜବାବ ଦେବା ପାଇଁ ସମସ୍ତ ଘରୋଇ ମେଡିକାଲ କଲେଜକୁ ନୋଟିସ ଜାରି କରିଛନ୍ତି । ଏହାକୁ ନେଇ ସମସ୍ତ ଘରୋଇ ମେଡିକାଲ କଲେଜ ସୁପ୍ରିମକୋର୍ଟ ପହଂଚିଥିଲେ । ସୁପ୍ରିମକୋର୍ଟଙ୍କ ତରଫରୁ ରୋକ ଲଗାଯିବା ସହ ଘରୋଇ ମେଡିକାଲ କଲେଜଗୁଡିକ ଅଭିଭାବକଙ୍କ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛନ୍ତି । କଲେଜ ଫୋନ କରି କହିଛନ୍ତି ଯେ, ଫଇସଲା ସେମାନଙ୍କ ସପକ୍ଷରେ ଅଛି । ସେଥିପାଇଁ ତୁରନ୍ତ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରନ୍ତୁ ।