ଜଳେଶ୍ୱର: ମାଛ ମାର୍କେଟରେ ପୌର ପରିଷଦର ମିଳିତ ଚଢାଉ । ନିମ୍ନମାନର ଓ କେମିକାଲ ବ୍ୟବହୃତ ମାଛ ବିକ୍ରି ଅଭିଯୋଗରେ ରେଡ୍ ହୋଇଛି । ବ୍ୟବସାୟୀକଙ୍କ ଠାରୁ ଓଜନ ବଟକରା, ମେସିନ ଜବତ ସହ ଫାଇନ ଆଦାୟ କରାଯାଇଛି । ଜଳେଶ୍ୱର ପୌରପାଳିକା ତରଫରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ୱର ସହରର କେନ୍ଦ୍ର ସ୍ଥଳରେ ଥିବା ବଜାର ମାଛ ମାର୍କେଟ ଉପରେ ଚଢାଉ କରିଛି । ସୂଚନା ଅନୁସାରେ, ଜଳେଶ୍ଵର ଥାନା ବଜାର ମାଛ ବଜାର ଉତ୍ତର ବାଲେଶ୍ଵରର ଏକ ପ୍ରମୁଖ ବ୍ୟସ୍ତବହୁଳ ମାଛ ବଜାର ଅଟେ ।
ପ୍ରତିଦିନ ହଜାର ହଜାର ଲୋକେ ଏହି ମାଛ ବଜାର ଉପରେ ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏହି ବଜାରରେ ମାଛ ବିକ୍ରି ସମୟରେ ନିୟମିତ ଭାବେ ଓଜନରେ ଠକାମୀ କରାଯାଉଥିବା, ମାଛକୁ ସତେଜ ରଖିବା ଓ ଗ୍ରାହକଙ୍କ ମନ କିଣିବା ପାଇଁ ରଙ୍ଗ ବୋଳା ତଥା କେମିକାଲ ବୋଳା ମାଛ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଆଧାରରେ ଚଢାଉ ସମୟରେ ୫ ଜଣ ବ୍ୟବସାୟୀ ବ୍ୟାପକ ଅନିୟମିତତା କରୁଥିବା ଧରା ପଡ଼ିବାରୁ ସେମାନଙ୍କ ଠାରୁ ଜରିମାନା ଆକାରରେ ୫ ହଜାର ଟଙ୍କା ଆଦାୟ କରାଯାଇଛି । ଏପରି ଚଢ଼ାଉ ନିୟମିତ ହେବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି ।










