ଭୁବନେଶ୍ୱର: ଇଷ୍ଟ କୋଷ୍ଟ ରେଲୱେର ଅବସରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବ୍ୟାଙ୍କ ଲକରରେ ପୁଣି ସିବିଆଇ ରେଡ କରିଛି । ଲକରରୁ ଗୋଲ୍ଡ ବାର, ବିସ୍କୁଟ, କଏନ, ଅଳଙ୍କାରକୁ ମିଶାଇ ୧୭ କେଜି ସୁନା, ଘରୁ ୧ କୋଟି ୫୭ ଲକ୍ଷ ଟଙ୍କା, ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ରାଶି, ୧କୋଟି ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଏବଂ ୪୪.୭୫ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ରାଶି ଓ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ ସିବିଆଇର ହସ୍ତଗତ ହୋଇଛି । ପ୍ରମୋଦଙ୍କ ଘରୁ ସିବିଆଇ ଜବତ କରିଥିବା ୧୭ କେଜି ସୁନାର ଆନୁମାନିକ ମୂଲ୍ୟ ୯.୫ କୋଟିରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ପରିବାର ଲୋକଙ୍କ ନାମରେ ସମ୍ପତ୍ତି ରହିଥିବା ଜବତ ଦସ୍ତାବିଜରୁ ଜଣାପଡ଼ିଛି । ନଗଦ ଅର୍ଥ ଓ ଜମା ରାଶିର ପରିମାଣ ୭.୬୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି । ସିବିଆଇ ଏହି ସମ୍ପତ୍ତିକୁ ଜବତ କରିବା ସହ ହସ୍ତଗତ ହୋଇଥିବା ଜରୁରୀ ଦସ୍ତାବିଜକୁ ନେଇ ଖୋଳତାଡ ଆରମ୍ଭ କରିଛି । ସୂଚନା ମୁତାବକ ପ୍ରମୋଦ ଜେନା ୧୯୮୯ରେ ଚାକିରି ଜୀବନ ଆରମ୍ଭ କରିବା ସହ ୨୦୨୨ରେ ରେଲୱେର ପ୍ରିନ୍ସପାଲ ଚିଫ୍ ଅପରେସନ ମ୍ୟାନେଜର ପଦବୀରୁ ଅବସର ନେଇଥିଲେ । ୨୦୦୫ ରୁ ୨୦୨୦ ମଧ୍ୟରେ ପ୍ରମୋଦ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ଏ ନେଇ ସିବିଆଇ ନିକଟରେ ଇଷ୍ଟ କୋଷ୍ଟ ରେଲୱେ ମୁଖ୍ୟାଳୟ ପକ୍ଷରୁ ଗତ ୩ ତାରିଖରେ ଅଭିଯୋଗ ହୋଇଥିଲା । ଏ ନେଇ ସିବିଆଇ ୩ ତାରିଖରେ ପ୍ରମୋଦଙ୍କ ନାମରେ ମାମଲା ରୁଜୁ କରି କଲିକତା, ଭୁବନେଶ୍ୱର କଟକ ଓ ଜଗତସିଂପୁର ସ୍ଥିତ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ପ୍ରମୋଦଙ୍କ ସ୍ତ୍ରୀ ନାମରେ ଥିବା ୩ଟି ଲକର ଚାବି ସହ ବେନାମୀ ଲୋକଙ୍କ ନାମରେ ଥିବା ଆଉ ୫ଟି ଲକର ଚାବି ସିବିଆଇର ହସ୍ତଗତ ହୋଇଥିଲା । ୩ ଟି ଲକରକୁ ଯାଞ୍ଚ କରି ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସବିଆଇ ଜବତ କରିଥିଲା । ଏଥିସହ ଅନ୍ୟ ୫ଟି ଲକର ଚାବିକୁ ଖୋଲିବା ନେଇ ସିବିଆଇ ପକ୍ଷରୁ ଲକର ଅପେରେଶନ ଆରମ୍ଭ କରାଯାଇଥିଲା । ଶେଷରେ ସିବିଆଇ ତଥ୍ୟ ପ୍ରମାଣ ଅଧାରରେ ମଙ୍ଗଳବାର ପ୍ରମୋଦଙ୍କ ବାସଭବନରେ ଚଢଉ କରିବା ସହ ଅନ୍ୟ ୪ଟି ଲକରକୁ ଖୋଲିବାରେ ସମର୍ଥ ହୋଇଥିଲା । ଲକର ମାଲିକାନା ଥିବା ବ୍ୟକ୍ତିମାନଙ୍କୁ ସିବିଆଇ ଧରିବା ନେଇ ତଦନ୍ତ ଜାରି ରହିଛି । ଯାହାକି ବିପୁଳ ପରିମାଣର ସୁନା ରୁପା ଟଙ୍କା ସହ ଫିକ୍ସ ଡିପୋଜିଟ ଜବତ କରିଥିଲେ । ତେବେ ମୋଟ ସମ୍ପତ୍ତିର ଆକଳନ ହୋଇପାରିନଥିବା ବେଳେ ସିବିଆଇ ଟିମର ତଦନ୍ତ ଜାରି ରହିଛି ।