ରାହାମା : ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତରେ ମନ୍ଦିର ଚୋରି ଘଟଣାରେ ତେରମାଣପୁର, ବାଲିସାହି ଗ୍ରାମକୁ ତଦନ୍ତ କରିବାକୁ ଯାଇ ତିର୍ତ୍ତୋଲ ପୁଲିସ ପୋଲିସ ହଟହଟା ହେବା ସହିତ ମାଡ଼ ଖାଇଛି । ଗ୍ରାମର ନନ୍ଦ କେିଶାର ବରାଳ, ପିତା ରତ୍ନାକର ବରାଳ ପୁଲିସକୁ ଠେଙ୍ଗାରେ ପିଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଚୋର ଧରିବାକୁ ଯାଇଥିବା ପୁଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର । କନଷ୍ଟେବଳ ଗୁରୁତର ହୋଇଥିବାବେଳେ ଚୋର ଫେରାର ହୋଇଯାଇଛି । ଫଳରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ବୁଧବାର ରାତିରେ ଚୋରି ହୋଇଥିଲା ।
ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ତିର୍ତ୍ତୋଲ ପୁଲିସ ସନ୍ଧାନି କୁକୁର ସାହାଯ୍ୟରେ ଗୁରୁବାର ତଦନ୍ତ କରିଥିଲା । ତୋଟାସାହି ମନ୍ଦିରଠାରୁ ସନ୍ଧାନୀ କୁକୁର ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟ ପାଖରେ ପହଞ୍ଚିଥିଲା । କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା ପୁଲିସ କନଷ୍ଟେବଳ ଜଣଙ୍କ କବାଟ ବାଡେଇ ଡାକିଥିଲେ । ଘରଭିତରୁ ରତ୍ନାକରଙ୍କ ପୁଅ ନନ୍ଦ ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ କନଷ୍ଟେବଳଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।
ଗାଁ ଦାଣ୍ଡରେ କନଷ୍ଟେବଳଙ୍କୁ ଗୋଡେଇ ଗୋଡେଇ ମାଡ ମାରୁଥିବାବେଳେ ଅଟକାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ କନେଷ୍ଟବଳ ଜଣଙ୍କ ତଳେ ପଡି ଗୁରୁତର ଆହତ ହୋଇଥିଲେ । ଗୁରୁତର ପୁଲିସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।