30.1 C
Bhubaneswar
Sunday, June 16, 2024
Homeଅପରାଧରେସିଂ ବାଇକର୍‌ଙ୍କ ରାତି ମଉଜରେ ଭୟଭୀତ ସାଧାରଣ ଲୋକ

ରେସିଂ ବାଇକର୍‌ଙ୍କ ରାତି ମଉଜରେ ଭୟଭୀତ ସାଧାରଣ ଲୋକ

ଚନ୍ଦ୍ରଶେଖରପୁର : ଆଜିକାଲି ପ୍ରାୟ ସବୁଦିନେ ରାତି ପ୍ରାୟ ଏଗାରଟା ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟୁଛି ଏକ ବିଚିତ୍ର ଘଟଣା। ସବୁ କିଛି ଶାନ୍ତ ଥିବ, ରାସ୍ତାରେ ବିଶେଷ ଗାଡ଼ି ମୋଟର ବା ଲୋକ ନଥିବେ। ସେହି ନିରବତାକୁ ଚିରି ଦୂରରୁ ଶୁଭିବ ଗୋଟେ ଗମ୍ଭୀର ଶବ୍ଦ। ତୀବ୍ର ଗତିରେ ସେ ଶବ୍ଦ ପାଖେଇ ଆସିବ ଓ ଲୋକେ କିଛି ବୁଝିବା ଆଗରୁ ଛାତି ଭିତରେ ଗଳିଯିବା ଭଳି ଶବ୍ଦ ଛାଡ଼ି କେତେଟି ବାଇକ୍‌ ଆଖିପିଛୁଳାକେ ମାଡ଼ିଆସି ପୁଣି ଗାୟବ ହୋଇଯିବ। ଏତେ କମ୍‌ ସମୟ ଭିତରେ ଏସବୁ ଘଟିଯିବ ଯେ ସେଗୁଡ଼ିକ ବାଇକ୍‌ ବୋଲି ଜାଣିବା ମଧ୍ୟ କଷ୍ଟକର।ଏମିତି ଅନେକ ରାତିରେ ଘଟୁଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ। ଟ୍ରାଫିକ୍ ପୁଲିସ୍ ଡ଼୍ୟୁଟି ଶେଷକରି ଚାଲିଯିବାପରେ ବିକଟାଳ ଶବ୍ଦ କରୁଥିବା ରେସିଂ ବାଇକ୍ ଧରି ଏ ଲୋକମାନେ ଛୁଟି ଆସୁଛନ୍ତି ରାଜରାସ୍ତାକୁ। ସେମାନେ ବାଇକ୍‌ ରେସ୍‌ କରୁଛନ୍ତି ନାଲକୋ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ। ସେଠାରୁ କଟକ ଓ ପରେ ପୁଣି ଭୁବନେଶ୍ବର ଫେରି ଆସୁଛନ୍ତି। ଏମିତି ପ୍ରତି ସପ୍ତାହରେ ଦୁଇ ତିନି ଥର ଜମୁଛି ବାଇକ୍ ରେସିଂ ମଉଜ। ଏହି ବାଇକର୍‌ମାନଙ୍କ ଭିତରୁ ଅଧିକଂଶ ଖଣ୍ଡିଗିରି, ପଟିଆ, ଜୟଦେବବିହାର ଓ ନାଲକୋ ଅଞ୍ଚଳର ବୋଲି ସୂଚନା ମିଳିଛି। ମାତ୍ର ଏନେଇ ଚନ୍ଦ୍ରଶେଖରପୁର ଟ୍ରାଫିକ୍ ପୁଲିସ୍ ନିକଟରେ କୌଣସି ସୂଚନା ନାହିଁ। ପୁଲିସ୍ ବିଳମ୍ବିତ ରାତିରେ ଶବ୍ଦ ଶୁଭୁଛି ବୋଲି ସ୍ବୀକାର କରୁଛି, କିନ୍ତୁ ସେହି ବାଇକର୍‌ମାନଙ୍କୁ କାବୁକରିବା ପାଇଁ ପିସିଆର୍ ସେମାନଙ୍କ ପିଛାକରିବା ପୂର୍ବରୁ ସେମାନେ ବିଜୁଳି ବେଗରେ ଉଭାନ ହୋଇଯାଉଛନ୍ତି ବୋଲି ପୁଲିସ କହୁଛି। ପୁଣି ସେମାନେ ଅତି ଦ୍ରୁତଗତିରେ ଯାଉଥିବାରୁ ତଥା ରାତି ସମୟ ହୋଇଥିବାରୁ ସିସିଟିଭି କ୍ୟାମେରାରେ ମଧ୍ୟ ସେମାନଙ୍କର ସ୍ପଷ୍ଟ ଛବି ଆସିପାରୁନାହିଁ। ଫଳରେ ସେମାନଙ୍କୁ ଧରିବା ସମ୍ଭବ ହୋଇପାରୁ ନାହିଁ। କିନ୍ତୁ ଏଭଳି ଯୁକ୍ତି ହାସ୍ୟକର ମନେହୁଏ। କାରଣ କୌଣସି ବଡ଼ ଧରଣର ଅପରାଧ ଘଟାଇ ଅପରାଧୀ ଏମିତି ଦ୍ରୁତଗତିରେ ଫେରାର ହୋଇଗଲେ, ଏଭଳି ଯୁକ୍ତି ଆଦୌ ପେସ୍‌ କରା ଯିବନାହିଁ। ପୁଣି ଏହି ଘଟଣା ନିୟମିତ ହେଉଥିବାରୁ ତା’ ସଂପର୍କରେ ସବିଶେଷ ସୂଚନା ପୁଲିସ ନିକଟରେ ନଥିବା ମଧ୍ୟ ଗ୍ରହଣୀୟ ନୁହେଁ। ଅନ୍ୟ ପକ୍ଷରେ ରାତିରେ ରାତିରେ ରାସ୍ତାରେ ଯାଉଥିବା ସାଧାରଣ ଯାତ୍ରୀମାନେ ରେସିଂ ବାଇକ୍‌ର ଶବ୍ଦ ଓ ଗତିରେ ଭୟଭୀତ ହୋଇ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ଏଭଳି ଅଭିଯୋଗ ମଧ୍ୟ ନିୟମିତ ଆସୁଛି। ଏହି ବାଇକର୍‌ମାନଙ୍କ ଉପରେ ପୁଲିସ୍‌ର ନିୟନ୍ତ୍ରଣ ନଥିବାରୁ ସେମାନେ ଜୟଦେବବିହାର- ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ରାସ୍ତାକୁ ନିଜର ‌ରେସିଂ ଟ୍ରାକ୍ ‌ଭାବେ ବ୍ୟବହାର କରୁଛନ୍ତି। ମିଳିଥିବା ସୂଚନାମୁତାବକ, ଏହି ବାଇକର୍‌ ଗ୍ରୁପ୍‌ରେ ସାମିଲ ଅଛି ୫ଲକ୍ଷରୁ ଆରମ୍ଭ କରି ଏକ କୋଟି ଟଙ୍କାର ବାଇକ୍। ଏଗୁଡ଼ିକୁ ଚଳାଉଥିବା ଯୁବକମାନେ ମଧ୍ୟ ସ୍ବାଭାବିକ ଭାବେ ସେହିଭଳି ଧନୀ ଓ ପ୍ରଭାବଶାଳୀ ପରିବାରର। ଏନେଇ ଡମଣା ଛକରେ କାର୍ଯ୍ୟରତ ଜଣେ ଟ୍ରାଫିକ୍ ପୁଲିସ କର୍ମଚାରୀ କହନ୍ତି, କିଛି ମାସ ପୂର୍ବେ ସେ ଡ଼୍ୟୁଟି ଶେଷକରି ଯାଉଥିବା ବେ‌ଳେ ଏହିଭଳି ଏକ ବାଇକର୍‌କୁ କାବୁ କରିଥିଲେ। ମାତ୍ର ଯୁବକ ଜଣଙ୍କ ପ୍ରଭାବ ପକାଇ ଗୋଟିଏ ଫୋନ୍‌ ଜରିଆରେ ହିଁ ମୁକୁଳି ପଳାଇ ପାରିଥିଲେ। ଏହି କାରଣରୁ ସେମାନଙ୍କ ମାମଲାରେ ମୁଣ୍ଡ ପୂରାଇବାକୁ କ୍ବଚିତ୍‌ ଅଧିକାରୀ ଚାହୁଛନ୍ତି। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବରିଷ୍ଠ ନାଗରିକ କହନ୍ତି, ରାତିରେ ଏହି ବାଇକର୍‌ମାନେ ଆଖିବୁଜି ଗାଡ଼ି ଚଲାଉଥିବାରୁ ସେମାନଙ୍କ ଗାଡ଼ିର ଶବ୍ଦ ଶୁଣିଲେ ସେ ନିଜ ଗାଡ଼ିକୁ ରାସ୍ତା କଡ଼ରେ ଲଗାଇ ଅପେକ୍ଷା କରନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦାୟିତ୍ବରେ ଥିବା ତତ୍କାଳୀନ ପୁଲିସ୍ ଅଧିକାରୀ ନିର୍ମଳ ଶତପଥୀ ଏକଦା ସହରର ଅନେକ ରେସିଂ ବାଇକ୍ ଗ୍ରୁପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ପରେ ସେଦିଗରେ କେହି ଦୃଷ୍ଟି ଦେଇ ନାହାନ୍ତି। ଫଳରେ ରେସିଂ ବାଇକର୍‌ମାନେ ବେକାବୁ ହୋଇ ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking