32.1 C
Bhubaneswar
Saturday, June 22, 2024
Homeଓଡିଶାସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’

ସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’

ଝାରସୁଗୁଡ଼ା: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଝାରସୁଗୁଡ଼ା ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଅନ୍ୟତମ। ଏଠାକାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡ଼ର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ସର୍ବଦା ମୁଗ୍ଧ କରିଆସିଛି। ବିଶେଷ କରି ନଭେମ୍ବର, ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରତିଦିନ ବହୁ ପର୍ଯ୍ୟଟକ, ସ୍କୁଲ୍‌-କଲେଜ୍‌ ଛାତ୍ରଛାତ୍ରୀ ପିକ୍‌ନିକ୍‌ କରିବା ପାଇଁ ଏଠାକୁ ଆସିଥା’ନ୍ତି। ଏଠାରେ ପାହାଡ଼ ଭିତରୁ ଝରିଆସୁଥିବା ନଦୀର କୁଳୁକୁଳୁ ନାଦ ସହିତ ଶୈବ ପୀଠ ମହେଶ୍ୱରନାଥ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ପ୍ରାକୃତିକ ସୁଷମାର ଅପୂର୍ବ ଭଣ୍ଡାରରେ ମଣ୍ଡିତ କୋଇଲି ଘୋଘର ଆଜି ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ପିକ୍‌ନିକ୍‌ ସ୍ଥଳୀ ଭାବେ ସାରା ଓଡ଼ିଶାରେ ସୁପ୍ରସିଦ୍ଧ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ କୁଶମେଲ୍‌ବାହାଲ୍‌ ଗାଁ ନିକଟରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଅଞ୍ଚଳରେ ଅବସ୍ଥିତ ଐତିହାସିକ ଗଡ଼ସୂତା ପର୍ବତ ବକ୍ଷରୁ ସୃଷ୍ଟି ହୋଇ ବୋହି ଆସିଛି ଚିରସ୍ରୋତା ନଦୀଟିଏ। ଏହି ନଦୀର ନାମ ଅହିରାଜ। କେତେ ବାଧାବିଘ୍ନ, ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼, ପର୍ବତ ଓ ଜଙ୍ଗଲ ପାରି ହୋଇ ‘ଛୁଇଁ ଖଞ୍ଜ’ ଜଙ୍ଗଲ ଦେଇ ଅହିରାଜ ନଦୀ କୋଇଲି ଘୋଘରରେ ପାହାଡ଼ ଉପରୁ ଜୋର୍‌ରେ କଚାଡ଼ି ହୋଇ ପଡ଼ୁଛି। ଆଉ ଏଠାରେ ସୃଷ୍ଟି ଜଳାଶୟର ଶୀତଳ ଜଳରେ ପର୍ଯ୍ୟଟକମାନେ ଗାଧୋଇ ପିକ୍‌ନିକ୍‌ର ମଜା ନିଅନ୍ତି। ଏହାର ପାଣି ସ୍ୱଚ୍ଛ ଓ ନିର୍ମଳ। ଗଣ୍ଡର ଜଳରେ ଅଛନ୍ତି ଛୋଟ ବଡ଼ ପ୍ରଜାତିର କଡ଼ୋ ମାଛ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ପାଣି ଭିତରକୁ ଖାଦ୍ୟ ପଦାର୍ଥ ଫୋପାଡ଼ିଲେ ସେଗୁଡ଼ିକୁ ଖାଇବା ପାଇଁ ମାଛମାନେ ପାଣି ଉପରକୁ ଆସିଥା’ନ୍ତି। ସୂର୍ଯ୍ୟଙ୍କ ସୁନେଲୀ କିରଣ ଜଳ ପ୍ରପାତ ଉପରେ ପଡ଼ି ପ୍ରତିଫଳିତ ହୁଏ ଇନ୍ଦ୍ରଧନୁର ସପ୍ତରଂଗ। ଏସବୁ ଦୃଶ୍ୟ ଦର୍ଶକମାନଙ୍କ ପାଇଁ ଏକାନ୍ତ ହୃଦୟସ୍ପର୍ଶୀ। ନିକଟସ୍ଥ ଜଙ୍ଗଲରୁ କୁମ୍ଭାଟିଆ, ବଣି, କଜ୍ଜଳପାତି, ଶୁଆ ଓ କୋଇଲି ଆଦି ପକ୍ଷୀମାନଙ୍କର କୂଜନରେ କୋଇଲି ଘୋଘରର ପରିବେଶ ଶିହରଣ ସୃଷ୍ଟି କରେ। କୋଇଲିର କୁହୁକୁହୁ ସ୍ୱର ଓ ଜଳ ପ୍ରପାତର ଘୋଘୋ ଗୁରୁ ଗମ୍ଭୀର ଶବ୍ଦ ଯୋଗୁ ଏହାର ନାମ କୋଇଲି ଘୋଘର ହୋଇଥିବା ଏ ଅଞ୍ଚଳର ଲୋକମାନେ ମତ ଦିଅନ୍ତି। ପାହାଡ଼ର ଘଞ୍ଚ ଅରଣ୍ୟ ଭେଦ କରି ଅହିରାଜ ନଦୀ ମିଳିତ ହୋଇଛି ମହାନଦୀରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking