18.1 C
Bhubaneswar
Saturday, November 23, 2024
Homeଓଡିଶାବେଦୀପାଶ୍ୱର୍ ପଟା ଚାରିପଟେ ପଡ଼ିଲା ଠେକେରା ବାଡ଼

ବେଦୀପାଶ୍ୱର୍ ପଟା ଚାରିପଟେ ପଡ଼ିଲା ଠେକେରା ବାଡ଼

ପୁରୀ:  ରଥଯାତ୍ରା ପାଖେଇ ଆସୁଥିବାର ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି । ମଙ୍ଗଳବାର ଦିନ ମଧ୍ୟ ରଥଖଳାରେ ୧୯୭ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୧୬ଜଣ ଓଝା ବା କମାର ସେବକ, ଜଣେ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ । ୩ରଥର ବେଦୀ ପାଶ୍ୱର୍ ପଟା ଚାରିପଟେ ଠେକେରା ବାଡ଼ ପଡ଼ିଛି । ସେଥିରେ କେବଳ ସଖୀ ସଂଯୋଗ ବାକି ରହିଛି । ୩ରଥର ଘୋଡ଼ା ମରାମତି ସହ ରଙ୍ଗକାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ବ୍ରେକର ରଙ୍ଗ ଶେଷ ହୋଇ ସେଥିରେ ଫୁଲ ଏବଂ ହାତୀମାଳ ଚିତ୍ର ଅଙ୍କନ ପରେ ସମସ୍ତ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ୱଜ ଓ ଦେବଦଳନ ରଥର ସମସ୍ତ ରଙ୍ଗ କାର୍ଯ୍ୟ ଶେଷ ହୋଇ ସିଂହାସନ ବେଦୀ ଚାରିପଟର ଗାଈଗୋଠ ଚିତ୍ର ବାକି ରହିଛି ।

ଚିତ୍ରକର ସେବକମାନଙ୍କର ୩ରଥର ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦରଜି ସେବକମାନେ ୩ରଥର ୨୪ଟି ବତାକନାରେ ୭୨ଟି ବିଳାସ ପଟି ଲାଗି ଶେଷ କରିଛନ୍ତି । ଏଥିସହିତ ୩ରଥର ୧୨ଟି ଦୁଆର ବେଢ଼ାର ମାପ ଅନୁଯାୟୀ କନା କଟାଯିବା ପରେ ସେଥିରେ ଲେସ, ଚିକ୍କଣ ସିଲଭର ଜରିରେ ଫୁଲ, ଫୁଲଡ଼ାଳି ପଡ଼ି ଦୁଆର ବେଢ଼ା କନା କାମ ଶେଷ ହୋଇଛି । ଏଥିସହିତ ୩ରଥର ୧୨ଟି ଚନ୍ଦ୍ରଶାଳୀ ଓ ୧୨ଟି ଅଁଳାଶ୍ରୀ ପାଇଁ କନା କାର୍ଯ୍ୟ ଶେଷ ହେବା ସହିତ ପୋଟଳର କନା କାର୍ଯ୍ୟ ଶେଷ ହୋଇଛି । କନକମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡ଼ା ଚାନ୍ଦୁଆ ଏବଂ ସାରଥୀଙ୍କ ପାଇଁ ପୋଷାକ ତିଆରି କାର୍ଯ୍ୟ ଚାଲୁ ରହିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ୩ରଥର ୧୨ଟି ପ୍ରଭାକଣ୍ଟା, କିଛି ରାଡ଼ କଣ୍ଟା ଏବଂ ଚାନ୍ଦି, ୟୁକ୍ଲାମ୍ପ, ଅର କ୍ଲାମ୍ପ ଓ ବଳକା କଣ୍ଟା ତିଆରି କରିଛନ୍ତି । ଏଥିସହିତ ଆଜି ରଥଚାଳିକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯାଇ ଲୁହାଭାରା ହଟାଯିବା ସହିତ ଚାଳିରେ ଥିବା ବଳକା କାଠ ଓ ବଡ଼ଦାଣ୍ଡରେ ପଡ଼ିଥିବା କାଠଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking