ପୁରୀ : ଆଉ ମାତ୍ର ୮ ଦିନ ପରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତିନି ରଥର ସମୁଦାୟ ୧୨ଟି ଦୁଆର ଘଡା ନିର୍ମାଣ ସରିଛି । ରଙ୍ଗ ପରେ ଆସନ୍ତା କାଲି ଦୁଆର ଘଡ଼ା ଉଠାଯିବ । ତିନି ରଥର ପାରାଭାଡି, ଖପୁରୀ ସହ ୧୩ ପରସ୍ତ ପୋଟଳ ଉଠା କାର୍ଯ୍ୟ ସରିଛି । ରଥ କଳସ ରଙ୍ଗ କାମ ମଧ୍ୟ ଚାଲିଛି । ବୁଧବାର ତିନିରଥର ପୋଟଳ ତଳକୁ ଚାରି ଗୋଟି ଲେଖାଁଏ ଋଷି ପଟା ସେଟିଙ୍ଗ ହୋଇଅଛି ।
ଏଥିସହ ତିନିରଥର ବେଦି ପଛ ଭାଗରେ ପଟା ବାଡ଼ିଆ ପରେ ତିନିରଥ ସମୁଖ ଭାଗରେ ପଟା ବାଡ଼ିଆ ଶେଷ ହେବାସହ, ରଥ ଦକ୍ଷିଣ ପାର୍ଶ୍ୱ ଏବଂ ବାମ ପାର୍ଶ୍ୱରେ ପଟା ପଡିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ତିନିରଥର ଚାରୋଟି ଲେଖାଁଏ ବାର ଗୋଟି ଦୁଆର ବେଢ଼ା ନିର୍ମାଣ ଶେଷ ହେବାପରେ, ଦୁଆର ବେଢ଼ା ଗୁଡିକରେ ପ୍ରାଇମର ଦିଆଯାଇ ଚିତ୍ରକାର ଙ୍କ ଦ୍ୱାରା ଚିତ୍ର ଅଙ୍କନ ଜାରୀ ରହିଛି। ତିନିରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପ୍ରଭା ଫ୍ରେମରେ ପଟା ବାଡ଼ିଆ ପରେ ବାଙ୍କ ପଡି ରୂପ ଖୋଦେଇ ପଟା ସେଟିଙ୍ଗ ହୋଇଅଛି । ତିନିରଥର ରୂପକାର ସ୍ୱେକ ମାନେ ତିନିରଥର ଶେଷ ତିନିଗୋଟି ନାଟ ଗୋଡ଼ରେ ରୂପ ଖୋଦେଇର ଶେଷ ସ୍ପର୍ଶ ଦେଇଥିଲେ ।
ତିନିରଥର ୩୫ ଜଣ ଚିତ୍ରକର ସ୍ୱେକ ମାନେ ଦୁଆର ବେଢାରେ ଚିତ୍ରକାମ କରିବା ସହ ରଥ ପାର୍ଶ୍ୱ ଦେବା ଦେବୀ, ନାଟ ଗୋଡ଼, ଓଲଟ ଶୁଆ, ସଖୀ ଆଦିରେ ରଙ୍ଗ ଚିତ୍ର ଜାରୀ ରଖିବା ସହ, ତିନିରଥର ଗୁଜ, ପଟାଗୁଜ ଗୁଡିକାରେ ଖୋଦେଇ ରୂପ ଗୁଡିକରେ ଚିତ୍ର କାର୍ଯ୍ୟ ମଧ୍ୟ ଜାରୀ ରଖୀଥିଲେ । ଅନ୍ୟପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ପ୍ରକୋଷ୍ଠରେ ୧୭ ଜଣ ଦରଜୀ ସ୍ୱେକ ବୁଧବାର ସୁଧା ତିନିରଥର କନା କଟିଙ୍ଗ ଶେଷ କରି ତିନିରଥର ଦୁଆର ବେଢ଼ା ଗୁଡିକ ପାଇଁ ମାପ ପ୍ରକାରେ କନା କଟିଙ୍ଗ କରି ସେଥିରେ ସିଲଭର ଲେସ ଫିଟିଙ୍ଗ କରିବା ସହ ଚନ୍ଦ୍ରଶାଳୀ ରେ ଫୁଲ ପକା କାମ ଶେଷ କରିଛନ୍ତି । ଏଥିସହ ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସ୍ୱେକ ମାନେ ପ୍ରତି ଦୁଆର ବେଢ଼ା ପାଇଁ ୧୧ ଟି ଲେଖାଁଏ ମୋଟ ୧୩୨ ଗୋଟି ଦୁଆର ବେଢ଼ା କଣ୍ଟା ନିର୍ମାଣ ଶେଷକରି, ଜଗତ ପୃଷ୍ଠ ଶେଣୀ କଣ୍ଟା, ସିଂହାସନ କଣ୍ଟା ଏବଂ ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ ଜାରୀ ରଖୀଛନ୍ତି ।