19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶରାଷ୍ଟ୍ରପତି ଭବନ ଛାଡିଲେ ବିକ୍ଷୋଭକାରୀ

ରାଷ୍ଟ୍ରପତି ଭବନ ଛାଡିଲେ ବିକ୍ଷୋଭକାରୀ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଗୁୁରୁବାର ସିଙ୍ଗାପୁରରେ ପହଞ୍ଚିଥିବାବେଳେ ସେଠାରୁ ନିଜର ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ଏହା ଜଣାପଡିବାପରେ ଆଜକୁ ପାଞ୍ଚଦିନ ଧରି ରାଷ୍ଟ୍ରପତି ଭବନକୁ କବ୍‌ଜା କରିଥିବା ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣଭାବେ ରାଷ୍ଟ୍ରପତି ଭବନରୁ ବାହାରୁଥିବା ଲକ୍ଷ୍ୟ କରାଯାଇଛି । ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଆଉ ରାଷ୍ଟ୍ରପତି ଭବନରେ ଆଡ୍ଡା ଜମାଇବାର ଆବଶ୍ୟକତା ନାହିଁ ବୋଲି କେତେକ ବିକ୍ଷୋଭକାରୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । କେବଳ ରାଷ୍ଟ୍ରପତି ଭବନ ନୁହେଁ, ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ସଚିବାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରକୁ ମଧ୍ୟ କବ୍‌ଜା ମୁକ୍ତ କରିଛନ୍ତି । ଗୋତବାୟାଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଉପରେ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ବିକ୍ରମସିଂଘେ ଦେଶରେ ଶାନ୍ତି ଅବସ୍ଥା ଫେରାଇ ଆଣିବାକୁ ସେନାକୁ ଅତିରିକ୍ତ କ୍ଷମତା ପ୍ରଦାନ କରିଛନ୍ତି । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିରାପତ୍ତା ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିବା ଜଣାପଡିଛି । ସୁରକ୍ଷା କର୍ମୀଙ୍କ ଆଗମନପରେ ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣଭାବେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରକୁ ଚାଲିଯାଇଥିଲେ । ତେବେ ଦେଶର ଆର୍ôଥକ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ସେମାନଙ୍କର ବିକ୍ଷୋଭ ଜାରି ରହିବ ବୋଲି ସେମାନେ କହିଛନ୍ତି । ଅପରପକ୍ଷରେ ପୂର୍ବରୁ ଜାରି କରାଯାଇଥିବା କର୍ଫ୍ୟୁକୁ ଗୁରୁବାର ସକାଳେ ସାମୟିକଭାବେ ପ୍ରତ୍ୟାହାର କରାଯାଇଥିବାବେଳେ କିଛି ଘଣ୍ଟାପରେ ପୁଣି ଲାଗୁ କରାଯାଇଥିବା ଜଣାପଡିଛି । ନିରାପତ୍ତାରକ୍ଷୀଙ୍କ ସହ ସଂଘର୍ଷରେ ଶତାଧିକ ବିକ୍ଷୋଭକାରୀ ଆହତ ହୋଇ କଲମ୍ବୋର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନରେ କେବଳ ଜଣେ ୨୬ ବର୍ଷୀୟ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ସୂଚନାଯୋଗ୍ୟ ବୁଧବାର ମାଳଦ୍ୱୀପରେ ପହଞ୍ଚିବାପରେ ଗୋତବାୟା ଦମ୍ପତିଙ୍କୁ ୱାଲଡର୍ଫ ଆଷ୍ଟୋରିଆ ରିସର୍ଟରେ ରଖାଯାଇଥିଲା । ନିଜ ଦେଶର ନାଗରିକମାନେ ଦୁଇବେଳା ପେଟପୁରା ଖାଦ୍ୟ ପାଉନଥିବାବେଳେ ଦେଶଛାଡି ପଳାୟନ କରିଥିବା ରାଷ୍ଟ୍ରପତି ଏକ ପଞ୍ଚତାରକା ରିସର୍ଟରେ କାଳାତିପାତ କରୁଥିବା ପ୍ରସଙ୍ଗକୁ ମାଳଦ୍ୱୀପ ଗଣମାଧ୍ୟମ ତୀବ୍ର ସମାଲୋଚନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking