ନୂଆଦିଲ୍ଲୀ: ଷ୍ଟୁଡେଣ୍ଟ୍ସ ଇସ୍ଲାମିକ ମୁଭ୍ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନକୁ କ୍ରମାଗତ ଅଷ୍ଟମ ଥର ବ୍ୟାନ୍ କରାଯାଇଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ସୁପ୍ରିମକୋର୍ଟରେ ଏକ ପାଲଟା ସତ୍ୟପାଠ ଦାଖଲ କରାଯାଇଛି । ଭାରତରେ ଇସ୍ଲାମିକ୍ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଶକ୍ତି (ସଂଗଠନ)କୁ ତିଷ୍ଠିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ଧର୍ମଭିତ୍ତିକ ଶାସନ ଚାହୁଁଥିବା ଶକ୍ତିଙ୍କ ପାଇଁ କୌଣସି ସ୍ଥାନ ନାହିଁ ଏବଂ ସେମାନଙ୍କୁ ମୁଣ୍ଡ ଟେକିବାକୁୁ ସୁଯୋଗ ଦିଆଯିବ ନାହିଁ ବୋଲି ସତ୍ୟପାଠରେ ସ୍ପଷ୍ଟ କରାଯାଇଛି । ୟୁଏପିଏ (ଅନ୍ଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନ୍ସନ ଆକ୍ଟ) ଅନୁଯାୟୀ ଗଠିତ ଏକ ଟ୍ରିବ୍ୟୁନାଲ ୨୦୧୯ରେ ସିମିକୁ ବେଆଇନ ଘୋଷଣା କରିଥିଲେ । ଏହାର ପ୍ରତିବାଦରେ ସିମି ସଂଗଠନର ଜଣେ ପୂର୍ବତନ ସଦସ୍ୟ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ସିମି ସଂଗଠନ ସବୁବେଳେ ଭାରତର ସମ୍ବିଧାନକୁ ବିରୋଧ କରିଆସୁଥିବାବେଳେ ଯୁବବର୍ଗଙ୍କୁ ଇସ୍ଲାମ ଧର୍ମର ପ୍ରଚାର, ପ୍ରସାର ଏବଂ ଜିହାଦ୍ ପାଇଁ ପ୍ରବର୍ତ୍ତାଉଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୀର୍ଘ ବର୍ଷ ଧରି ବେଆଇନ ଘୋଷିତ ହୋଇଆସୁଥିବା ସତ୍ତ୍ୱେ ଅନ୍ୟ ସଂଗଠନ ଜରିଆେରେ ଲକ୍ଷ୍ୟ ହାସଲ କରିବାକୁ ସିମି ଉଦ୍ୟମ ଚଳାଇଥିବାରୁ ସାନି ବ୍ୟାନ୍ ଲାଗୁ କରାଯାଇଥିବା ସରକାର କହିଛନ୍ତି । ସୂଚନାଯୋଗ୍ୟ ୨୦୦୧ ସେପ୍ଟେମ୍ବର ୨୭ରୁ ବିଭିନ୍ନ ସମୟରେ ସିମିକୁ ବ୍ୟାନ୍ କରାଯାଇଛି । ସିମି ସଂଗଠନର ସଦସ୍ୟମାନେ ଲୁଚାଛପାରେ ବୈଠକ ଆୟୋଜନ କରିବା, ଯୁବକଙ୍କୁ ପଥଭ୍ରଷ୍ଟ କରାଇବା, ଇସ୍ଲାମ ଧର୍ମର ଗୁରୁତ୍ୱକୁ ଅଗ୍ରାଧିକାର ଦେବାକୁ ପ୍ରବର୍ତ୍ତାଇବା, ଚୋରାରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ଦେଶର ନିରାପତ୍ତାକୁ ବିପନ୍ନ କରୁଥିବାରୁ ଏହାକୁ ବାରମ୍ବାର ବ୍ୟାନ୍ କରାଯାଉଛି । ଏପରିକି କଡା କଟକଣା ସତ୍ତ୍ୱେ ଭାରତରେ ଥିବମା ସିମି ସଂଗଠନର ନେତା ଓ କର୍ମୀ ବିଦେଶରେ ଥିବା ସହକର୍ମୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିବାର ପ୍ରମାଣ ମିଳିସାରିଛି । ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ୩୬ରୁ ଅଧିକ ସଂଗଠନ ସହ ସିିମି ଭିତିରିଆ ସମ୍ପର୍କ ରଖିଛି । ଏହି ପରିପ୍ରେକ୍ଷୀରେ ଆଗତ ପିଟିସନକୁ ଖାରଜ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।