ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ମାସରେ ଗଣେଶ ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରକୁ ଯିବା ଘଟଣା ବେଶ ବିବାଦ ସୃଷ୍ଟି କରିଥିଲା। ବିରୋଧୀ ଦଳ ପକ୍ଷରୁ ଏନେଇ ତୀବ୍ର ସମାଲୋଚନା କରାଯିବା ପରେ ପ୍ରଥମଥର ପାଇଁ ଏହି ବିବାଦ ଉପରେ ମୁହଁ ଖୋଲିଛନ୍ତି ସିଜେଆଇ ଚନ୍ଦ୍ରଚୂଡ଼। ସେ କହିଛନ୍ତି, ଏପରି ଉତ୍ସବକାଳୀନ ଗସ୍ତକୁ ନେଇ ସମାଲୋଚନା କରାଯିବା ଅତ୍ୟନ୍ତ ପରିତାପର ବିଷୟ। ତାଙ୍କ ବାସଭବନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୃଷ୍ଟି ହେଉଥିବା ବିବାଦ ଅଯଥା ଓ ତର୍କହୀନ। ପ୍ରକାଶ, ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼। ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିସାରିଛନ୍ତି।
ଲୋକସତ୍ତା ବାର୍ଷିକ କାର୍ଯ୍ୟକ୍ରମରେ ସିଜେଆଇ କହିଛନ୍ତି, ନ୍ୟାୟିକ ମାମଲାକୁ ଦୂରେଇ ରଖିବା ପରି ପରିପକ୍ୱତା ତାଙ୍କ ଭିତରେ ଅଛି। ସାମ୍ବିଧାନିକ ଅଦାଲତର ବିଚାରପତି ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ମଧ୍ୟରେ ଯଥେଷ୍ଟ ପରିପକ୍ୱତା ରହିଛି। ଯାହାକି ନ୍ୟାୟିକ ପ୍ରସଙ୍ଗକୁ କୌଣସି ବି ଆଲୋଚନାରୁ ଦୂରେଇ ରଖିବ। ରାଜନୀତିକ କାର୍ଯ୍ୟନିର୍ବାହୀ ମୁଖ୍ୟମାନେ କେବଳ ସାମାଜିକ କାର୍ଯ୍ୟକ୍ରମରେ ବିଚାରପତିମାନଙ୍କ ଘରକୁ ଯାଆନ୍ତି। କିନ୍ତୁ ନ୍ୟାୟପାଳିକାର ସ୍ୱାଧୀନତା ଏତେ ଗଭୀର ଯେ କେବେହେଲେ ନ୍ୟାପାଳିକା ପ୍ରସଙ୍ଗରେ ଏନେଇ କୌଣସି ଆଲୋଚନା ହୋଇନଥାଏ। ମୁଖ୍ୟ ବିଚାରପତି, ପ୍ରଧାନ ବିଚାରପତି ଓ ବିଚାରପତିମାନଙ୍କ ଘରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ସାମାଜିକ କାର୍ଯ୍ୟକ୍ରମ ଯଥା- ପିଲାମାନଙ୍କ ବିବାହ କିମ୍ବା ଅନ୍ୟ କୌଣସି ଉତ୍ସବ ପାଳନ ଅବସରରେ ଯାଇଥାନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ମଧ୍ୟରେ ନ୍ୟାୟପାଳିକା ପ୍ରସଙ୍ଗରେ ଆଲୋଚନା ହିଁ ହେବ। ଲୋକତନ୍ତ୍ର ହେଉ କିମ୍ବା ନ୍ୟାୟପାଳିକା, ଏସବୁ ସହ ଜଡିତ ବ୍ୟକ୍ତିବିଶେଷଙ୍କର ମଧ୍ୟ ନିଜସ୍ୱ ବ୍ୟକ୍ତିଗତ ମୂଲ୍ୟବୋଧ ରହିଛି, ଯାହାକୁ ସମସ୍ତେ ସମ୍ମାନ ଦେବା ଜରୁରି। ଏହାକୁ ନେଇ ପ୍ରଶ୍ନ କରାଯିବା ଆଦୌ ଉଚିତ୍ ନୁହେଁ। ଲୋକମାନେ ଭାବୁଛନ୍ତି ଏପରି ମିଟିଂ କାହିଁକି? ଆମର ରାଜନୀତିକ ବ୍ୟବସ୍ଥାର ପରିପକ୍ୱତା ହେଉଛି ଯେ ରାଜନୀତିକ ବିବାଦ ସତ୍ତ୍ୱେ ନ୍ୟାୟପାଳିକା ପ୍ରତି ସମସ୍ତଙ୍କ ସମ୍ମାନ ରହିଛି। ଏହା ସମସ୍ତଙ୍କୁ ଜଣାଅଛି।
ସିଜେଆଇଙ୍କ ମତରେ କେବଳ ସାମାଜିକ ଉତ୍ସବ ପାଳନ ପାଇଁ ଯେ ସାକ୍ଷାତକାର ହେବ ସେପରି ମଧ୍ୟ ନୁହେଁ। ନ୍ୟାୟପାଳିକାର ଅତ୍ୟାବଶ୍ୟକ ତଥା ଆନୁଷଙ୍ଗିକ ଖର୍ଚ୍ଚଭାର ପାଇଁ ମଧ୍ୟ ସରକାରଙ୍କ ଆବଶ୍ୟକତା ରହିଥାଏ। ଏଥିପାଇଁ ମଧ୍ୟ ନ୍ୟାୟପାଳିକା ବ୍ୟବସ୍ଥାର ଅଧିକାରୀ, ମୁଖ୍ୟ ବିଚାରପତିଙ୍କ ସହ ସରକାରଙ୍କ ବୈଠକ ଅତ୍ୟନ୍ତ ଜରୁରି। କାହାକୁ ସାକ୍ଷାତ କରିବା ଦ୍ୱାରା ନ୍ୟାୟପାଳିକା କାମରେ ବାଧା ସୃଷ୍ଟି ହୋଇନଥାଏ। ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଘରକୁ ଆସିବା ଏବଂ ସେଠାରେ ପରିବାର ଲୋକଙ୍କ ସହ ଗଣେଶ ପୂଜା କରିବା ଏକ ସୌଜନ୍ୟତା ମୂଳକ ସାକ୍ଷାତକାର ଏବଂ ସକାରାତ୍ମକ ଆଲୋଚନା ଛଡ଼ା ଅନ୍ୟ କିଛି ନୁହେଁ। ଏହାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ।