ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ଦେଶରେ ୧୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ହଜାର ଅତିକ୍ରମ କରିଛି । ଏହି ପରିପ୍ରେକ୍ଷୀରେ ପଜିଟିଭ୍ ଚିହ୍ନଟ ରୋଗୀଙ୍କ ଜେନମ୍ ସିକ୍ୱେନ୍ସିଂକୁ ତ୍ୱରାନ୍ୱିତ କରାଯିବା ସହ ହସ୍ପିଟାଲରେ ମକ୍ ଡ୍ରିଲ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ନିଃଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା ପଦ୍ଧତିକୁ ଉନ୍ନତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଜେନମ୍ ସିକ୍ୱେନ୍ସିଂ କରାଗଲେ, କୋଭିଡ୍ର ନୂତନ ଭାରିଆଣ୍ଟ୍ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି । ଏହାବ୍ୟତୀତ କୋଭିଡ୍ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ପାଞ୍ଚଟି ପ୍ରସଙ୍ଗ ଯଥା ଟେଷ୍ଟ୍, ଟ୍ରାକ୍, ଟ୍ରିଟ୍, ଭ୍ୟାକ୍ସିନେସନ ଏବଂ କୋଭିଡ୍ ଆପ୍ରୋପ୍ରିଏଟ୍ ବିହେଭିୟର ଉପରେ ଗୁରୁତ୍ୱ ଦେବାକୁ ମୋଦୀ କହିଛନ୍ତି । ଇନ୍ଫ୍ଲୁଏଞ୍ଜା ଏବଂ କୋଭିଡ୍ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଶଯ୍ୟା ଏବଂ ଚିକିତ୍ସା ଉପଲବ୍ଧ କରିବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ରୋଗୀଯେପରି ସୁବିଧାରେ ଆବଶ୍ୟକ ଔଷଧପତ୍ର ପାଇବେ,ତାହା ଉପରେ ମଧ୍ୟ ସେ ଗରୁତ୍ୱ ଦେଇଛନ୍ତି । ବିଗତ ଦୁଇମାସ ଧରି ଏଚ୍୧ଏନ୍୧ ଏବଂ ଏଚ୍୩ଏନ୍୨ ଭୂତାଣୁ ଯୋଗୁଁ ଦେଶରେ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ କାୟା ବିସ୍ତାର କରୁଥିବାରୁ କୋଭିଡ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।