ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ଓରଫ ପ୍ରଚଣ୍ଡ ଚାରିଦିନିଆ ଭାରତ ଗସ୍ତରେ ଆସି ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ତାଙ୍କୁ ଏୟାରପୋର୍ଟରେ ସ୍ୱାଗତ ଜଣାଇଥିଲେ । ଭାରତରେ ରହଣି ସମୟରେ ପ୍ରଚଣ୍ଡ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସେ ଉଜ୍ଜୟିନୀ ଓ ଇନ୍ଦୋର ପରିଦର୍ଶନରେ ଯିବେ ବୋଲି ମଧ୍ୟ ଜଣାପଡିଛି । ୨୦୨୨ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରଚଣ୍ଡଙ୍କର ଏହା ପ୍ରଥମ ଭାରତ ଗସ୍ତ । ଗୁରୁବାର ରାଜଘାଟସ୍ଥିତ ମହାତ୍ମାଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଚଣ୍ଡ ତାଙ୍କର ଗସ୍ତ ଆରମ୍ଭ କରିବେ ।