କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ଅବସ୍ଥା ଏପରି ଖରପ ହୋଇଛି ଯେ ବିଦେଶୀ ସହାୟତା ମଧ୍ୟ କମ୍ ପଡ଼ିବାରେ ଲାଗିଛି । କୁହାଯାଉଛି, ଏହି ମାସ ଶେଷ ବେଳକୁ ଦେଶରେ ଡିଜେଲ୍ର ଅଭାବ ସୃଷ୍ଟି ହୋଇପାରେ । ଏହା ସହିତ ଇନ୍ଧନ କିଣିବା ପାଇଁ ଭାରତ ପକ୍ଷରୁ ପଠାଯାଇଥିବା ୫୦୦ ମିଲିୟନ୍ ଡଲାର୍ର କ୍ରେଡିଟ୍ ଲାଇନ୍ ମଧ୍ୟ ଶେଷ ହେବା ଉପରେ । ଇନ୍ଧନ କିଣିବା ନିମନ୍ତେ ଭାରତ ଫେବୃଆରୀରେ ୫୦୦ ମିଲିୟନ୍ ଡଲାର୍ କ୍ରେଡିଟ୍ ଲାଇନ୍ର ସମ୍ପ୍ରସାରଣ କରିଥିଲା । ୧୯୪୮ରେ ବ୍ରିିଟିଶ୍ ସାମ୍ରାଜ୍ୟରୁ ସ୍ୱାଧୀନ ହେବାପରେ ଶ୍ରୀଲଙ୍କା ସବୁଠୁ ଖରାପ ଆଥିଁକ ସଂକଟର ସାମ୍ନା କରୁଛି । ଗ୍ୟାସ୍, ଖାଦ୍ୟ ପଦାର୍ଥ ଏବଂ ଆବଶ୍ୟକ ସାମଗ୍ରୀର ଅଭାବ ଫଳରେ ନାଗରିକମାନେ ଜୋର୍ଦାମର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ସେଠାକାର ଅଧିକାରୀମାନେ କହିଛନ୍ତି, ଦେଶର ପରିସ୍ଥିତି ଦୃଷ୍ଟିରୁ ଇନ୍ଧନ ଶିପ୍ମେଣ୍ଟ୍ ଏପ୍ରିଲ୍ ୧ ପରିବର୍ତ୍ତେ ମାର୍ଚ୍ଚ ଶେଷ ଆଡ଼କୁ ପହଞ୍ଚିବାରେ ଲାଗିଥିଲା । ଏହା ବ୍ୟତୀତ ଏପ୍ରିଲ୍ ୧୩, ୧୮ ଓ ୨୩ରେ ଭାରତରୁ ଆଉ ତିନିଟି ଶିପ୍ମେଣ୍ଟ୍ ଆସିବା ବାକିଅଛି । ଏହା ମଧ୍ୟରେ ଶ୍ରୀଲଙ୍କା ସରକାର ସହାୟତାରେ ବିସ୍ତାର ପାଇଁ ଯଦି ଦାବି ନକରନ୍ତି, ତେବେ ଇନ୍ଧନ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ ।
ଶ୍ରୀଲଙ୍କାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ବିଦ୍ୟୁତ୍ ଉତ୍ପାଦନରେ ଡିଜେଲ୍ର ସବୁଠୁ ଅଧିକ ବ୍ୟବହାର ହୋଇଥାଏ । ଦେଶରେ ଡିଜେଲ୍ ଅଭାବ ପୂର୍ବରୁ କେତେକ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ବନ୍ଦ ହୋଇଯାଇଛି, ଯାହା ଫଳରେ ସାରା ଦେଶରେ ଦୈନିକ ପ୍ରାୟ ୧୦ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ସେହିପରି ଆମଦାନୀର ପେମେଣ୍ଟ୍ ନକରିବାରୁ ଦେଶର ଏକମାତ୍ର ରିଫାଇନାରୀ ୨୦୨୧ରେ ଦୁଇଥର ବନ୍ଦ ହୋଇଥିଲା ।
ସରକାରଙ୍କ ବିଫଳତାରେ ନାରାଜ ସାଧାରଣ ନାଗରିକ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କା ମେଡିକାଲ୍ ଆସୋସିଏସନ୍ (ଏସ୍ଏଲ୍ଏମ୍ଏ) ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କୁ ଦେଶର ଔଷଧପତ୍ରର ଅଭାବ ସମ୍ପାଦକ ଚେତାବନୀ ଦେଇଛି । ଔଷଧପତ୍ର ଏବଂ ଉପକରଣ ଯୋଗାଣରେ ହ୍ରାସ ଘଟିଥିବା ମଧ୍ୟ ଏସ୍ଏଲ୍ଏମ୍ଏ କହିଛି । ସ୍ଥିତି ଏପରି ହୋଇଛି ଯେ କଠିନ ପରିସ୍ଥିତିରେ ମଧ୍ୟ ଆସୋସିଏସନ୍ ନିୟମିତ ସର୍ଜରୀ ବନ୍ଦ କରିଦେଇଛି ।