ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ଏବେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଚିନ୍ତା ବଢ଼ିଯାଇଛି । କାରଣ ନିର୍ବାଚନରେ ଏବେ ପୂର୍ବତନ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀ ନେତା ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରିବା ଠାରୁ ଆରମ୍ଭ କରି ନିର୍ବାଚନ ଲଢ଼ିବା ପାଇଁ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ଗୋଷ୍ଠୀର ସକ୍ରିୟ ଲିଡରମାନେ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ଏବେ ନିର୍ବାଚନ ପ୍ରସ୍ତୁତି ଚଳାଇଥିବା ବେଳେ ଏମାନେ ମଧ୍ୟ ନିଜ ହିସାବରେ ଏହି ନିର୍ବାଚନରେ ସାମିଲ ହେବାକୁ ଚେଷ୍ଟା ଚଳାଇଛନ୍ତି । ସବୁଠୁ ବଡ଼କଥା ହେଉଛି ଏସବୁ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀ ନେତାମାନେ ଏବେ ନିର୍ବାଚନ ଲଢ଼ିବା ପାଇଁ ଏକଜୁଟ୍ ହୋଇଛନ୍ତି ଏବଂ ତେହ୍ରିକ-ଏ-ଆୱାମ ନାମରେ ଏକ ମୋର୍ଚ୍ଚା ଗଠନ କରିଛନ୍ତି । ଏହାର ବ୍ୟାନରରେ ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । କେତେକ ବିଶେଷଜ୍ଞଙ୍କ ମତରେ ଲୋକସଭା ନିର୍ବାଚନରେ ପୂର୍ବତନ ବିଚ୍ଛିନ୍ନତାବାଦୀ ଅବଦୁଲ ରସିଦ ଶେଖଙ୍କ ବିଜୟ ଘାଟିର ଅନ୍ୟ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବାକୁ ଉତ୍ସାହିତ କରିଛି ।
ପ୍ରକାଶ, ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୪ତାରିଖରେ ଫଳାଫଳ ପ୍ରକାଶ ପାଇବ । ଅନ୍ୟପକ୍ଷେ ବିଚ୍ଛିନ୍ନତାବାଦୀମାନେ ଏପର୍ଯ୍ୟନ୍ତ ନିର୍ବାଚନ ବର୍ଜନ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିବାରୁ ସେମାନେ ନିର୍ବାଚନ ଲଢିବାକୁ ଏକ ବଡ଼ ଘଟଣା ଭାବେ ବିବେଚନା କରାଯାଉଛି । ସେମାନେ ନିର୍ବାଚନ ଲଢ଼ିବା କାଶ୍ମୀରର ବଦଳୁଥିବା ରାଜନୈତିକ ଦୃଶ୍ୟକୁ ବି ପ୍ରତିଫଳିତ କରୁଛି । ଏପରିକି ନିଷିଦ୍ଧ ଜମ୍ମୁ-କାଶ୍ମୀର ଜମାତ-ଏ-ଇସଲାମିର ଅନେକ ପୂର୍ବତନ ସଦସ୍ୟ ମଧ୍ୟ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି ।