19.1 C
Bhubaneswar
Monday, December 23, 2024
Homeଓଡିଶାପୌର ନିର୍ବାଚନ ପାଇଁ ପ୍ରସ୍ତୁତି : ଅଧ୍ୟକ୍ଷ ପଦ ପାଇଁ ମଇଦାନରେ ୨୦ ପ୍ରାର୍ଥୀ, ୩୯...

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି : ଅଧ୍ୟକ୍ଷ ପଦ ପାଇଁ ମଇଦାନରେ ୨୦ ପ୍ରାର୍ଥୀ, ୩୯ ୱାର୍ଡ ପାଇଁ ୫୮ ବୁଥ୍

ଫୁଲବାଣୀ : ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ । ଜିଲ୍ଲାରେ ଏକମାତ୍ର ଫୁଲବାଣୀ ପୌର ପରିଷଦ ଓ ବାଲିିଗୁଡା ତଥା ଘୁ.ଉଦୟଗିର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ସୂଚନା ମୁତାବକ, ଫୁଲବାଣୀ ପୌରାଞ୍ଚଳରେ ୨୫ ହଜାର୫୫୨ ଭୋଟର ଥିବାବେଳେ ବାଲିଗୁଡା ଏନ୍‌ଏସିରେ ୧୪ ହଜାର ୭୦୪ ଓ ଘୁ.ଉଦୟଗିରିରେ ୮ହଜାର୧୮୫ ଭୋଟର ଅଛନ୍ତି । ତିନି ପୌରାଞ୍ଚଳର କାଉସିଲର ପଦବୀ ପାଇଁ ସମୁଦାୟ ୧୨୯ ଜଣ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ୩ ଟି ପ୍ରାର୍ôଥପତ୍ର ନାକଚ ହେବାରୁ ଏବେ ୧୨୬ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ଫୁଲବାଣୀ ପୌରାଞ୍ଚଳରେ ୪୭, ଘୁ.ଉଦୟଗିରିରେ ୩୫ ଓ ବାଲିଗୁଡାରେ ୪୪ ଜଣ ପ୍ରାର୍ଥୀ ରହିଛନ୍ତି । ସେହିଭଳି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଁ ଫୁଲବାଣିରେ ୯ ଜଣ, ଘୁ.ଉଦୟଗିରିରେ ୮ ଜଣ ଓ ବାଲିଗୁଡାରେ ୩ ଜଣ ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ଜିଲ୍ଲାରେ ସମୁଦାୟ ୫୮ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ଫୁଲବାଣୀ ମ୍ୟୁନସିପାଲିଟି ପାଇଁ ୨୮, ଘୁ.ଉଦୟଗିରି ପାଇଁ ୧୩ ଓ ବାଲିଗୁଡାରରେ ୧୭ ଟି ବୁଥ୍ ଖୋଲାଯିବ । ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ ଅନୁସାରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଖର୍ଚ୍ଚ ସୀମା ୨ ଲକ୍ଷ ପର୍ଯ୍ୟନ୍ତ ଧ୍ୟାର୍ଯ୍ୟ ହୋଇଥିବା ବେଳେ କାଉସିଲର ମାନଙ୍କ ପାଇଁ ୫୦ ହଜ଼ାର ଟଙ୍କା ଖର୍ଚ୍ଚ ପାଇଁ ସୀମା ନିର୍ଦ୍ଧାରଣ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଅର୍ଥ ପର୍ଯ୍ୟବେକ୍ଷକ ଭାବେ ବାବୁଲାଲ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ଧନଞ୍ଜୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ସୂଚନା ପ୍ରକାରେ ଚଳିତ ନିର୍ବାଚନ ପ୍ରଚାର ବେଳେ କୌଣସି କୋଭିଡ୍ କଟକଣା ପାଳନର ଆବଶ୍ୟକତା ନାହିଁ । ମତଦାନ ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅତିରକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘୁ.ଉଦୟଗିରି ପାଇଁ ନିର୍ବାଚନ ଅଧିକାରୀ ଭାବେ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଓ ବାଲିଗୁଡା ପାଇଁ ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ରହିଛନ୍ତି । ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ସମୁଦାୟ ୫୮ଜଣ ଲେଖାଏଁ ପ୍ରିଜାଇଡିଂ ଅଫିସର୍‌, ଏହିପରି ବୁଥ୍ ଗୁଡ଼ିକରେ ସର୍ବମୋଟ୍ ୨୯୦ ଜଣ ଅଫିସର୍ ନିର୍ବାଚନ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ସେହିପରି ସମୁଦାୟ ୧୫୦ଟି ଇଭିଏମ୍ ଆବଶ୍ୟକ ପଡ଼ୁଛି । ଫୁଲବାଣୀ ପୌର ପରିଷଦ ପାଇଁ ବିଜୁ କଲ୍ୟାଣ ମଣ୍ଡପ ଷ୍ଟ୍ରଙ୍ଗ୍ ରୁମ୍ ଓ କାଉଣ୍ଟିଂ ସେଣ୍ଟର ଭାବେ କାର୍ଯ୍ୟ କରିବ ଏବଂ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବ୍ଲକ୍ ଅଫିସ୍ କ୍ୟାମ୍ପସ୍ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଦିବାସୀ କଲେଜ୍ ଷ୍ଟ୍ରଙ୍ଗ୍ ରୁମ୍ ଓ କାଉଣ୍ଟିଂ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଉପଜିଲ୍ଲାପାଳ ତଥା ମ୍ୟୁନିସିପାଲିଟିର ନିର୍ବାଚନ ଅଧିକାରୀ ଶେଷଦେବ ମିଶ୍ର ଓ ଡେପୁଟି କଲେକ୍ଟଟର ପ୍ରଭାତି ମହାରଣା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking