ମୁମ୍ବାଇ : ସବୁ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ବଡ ବଡ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ପର୍ଯ୍ୟନ୍ତ କରୋନା ଜାଲରେ ପଡିଛନ୍ତି। ଗୋଟିକ ପରେ ଗୋଟିଏ ଫିଲ୍ମ ଉପରେ ମଧ୍ୟ କରୋନାର ଗ୍ରହଣ ଲାଗୁଛି। ଏହି ସଂକ୍ରମଣ ଏତେ ଜୋରରେ ବ୍ୟାପିଲାଣି ଯେ ଅନେକ ଦେଶରେ ଲକଡାଉନ୍ ଫେରିଲାଣି । ଏହାକୁ ଦୃଷ୍ଟିରେ ରଖି କେତେକ ସିନେମା ହଲ୍ ବନ୍ଦ ହେବା ସହ ଆଉ କେତେକ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚା ଯାଇଛି । ବଡ ବଡ ବିଗ୍ ବଜେଟ୍ ଫିଲ୍ମ ଗୁଡିକ ମଧ୍ୟ କରୋନା ପାଇଁ କ୍ଷତିରେ ପଡିଛି ।
ସେହିଭଳି ଫିଲ୍ମ ଆର୍ଆର୍ଆର୍ ପରେ ଏବେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ଉପରେ କରୋନା ଚଡକ ପଡିଛି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କଡା କଟକଣା ପୁଣି ଲାଗୁ ହୋଇଛି। ସପିଂ ମଲ୍ ଓ ଫିଲ୍ମ ସବୁ ବନ୍ଦ କରାଯାଇଛି। ଏହି ଲିଷ୍ଟରେ ଏବେ ପ୍ରଭାସଙ୍କ ଅପ୍କମିଂ ଫିଲ୍ମ ‘ରାଧେ ଶ୍ୟାମ୍’ ସାମିଲ ହୋଇଛି। ଏହି ଫିଲ୍ମର ରିଲିଜ ଡେଟ୍କୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଫିଲ୍ମ ନିର୍ମାତା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, କରୋନା ସ୍ଥିତି ଲାଗି ଆମକୁ ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜକୁ ଘୁଞ୍ଚାଇବାକୁ ପଡୁଛି। ଖୁବଶୀଘ୍ର ଏହାକୁ ସିନେମା ହଲ୍ରେ ଦେଖା ହେବ। ଏହି ଟ୍ୱିଟ୍ ସହ ଫିଲ୍ମ ନିର୍ମାତା ଏକ ଫଟୋ ମଧ୍ୟ ସେଆର କରିଛନ୍ତି। ଏହି ଫଟୋରେ ଲେଖା ଅଛି, ଗତ କିଛି ଦିନ ହେବ ଆମେ ବହୁ ଚେଷ୍ଟା କରୁଥିଲୁ, କିନ୍ତୁ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦେଖିଲେ ଏହା ଲାଗୁଛି ଯେ ବଡ ପରଦାରେ ଆସିବା ପାଇଁ ଆମକୁ ଟିକେ ଅପେକ୍ଷା କରିବାକୁ ପଡିବ। ସୂଚନା ମୁତାବକ, ବହୁବଳୀ ଷ୍ଟାର୍ ପ୍ରଭାସ ଓ ପୂଜା ହେଗଡେ ଷ୍ଟାରର ଏହି ବିଗ୍ ବଜେଟ୍ ଫିଲ୍ମ ଜାନୁଆରୀ ୧୪ରେ ରିଲିଜ ହୋଇଥା’ନ୍ତା। ପୂର୍ବରୁ ଏହି ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ ହୋଇସାରିଛି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।