27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାଜସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ୫୦୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ରାଜସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ୫୦୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ଯୋଧପୁର: ଚଳିତବର୍ଷ ଶେଷଆଡକୁ ରାଜସ୍ଥାନ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିଜେପି ଓ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ବର୍ତ୍ତମାନ ରଣନୀତି ପ୍ରସ୍ତୁତ କରିବାରେ ଅଣ୍ଟା ଭିଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜସ୍ଥାନ ଗସ୍ତରେ ଯାଇ ୫୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକ ପ୍ରକଳ୍ପକୁ ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଏହି ଅବସରରେ ମୋଦୀ ଦୁଇଟି ନୂତନ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ ଜୟସାଲମେର ଓ ଦିଲ୍ଲୀ ମଧ୍ୟରେ ରୁନିଚା ଏକ୍ସପ୍ରେସ ଏବଂ ମରୱାଡ୍ ଜଙ୍କସନ-ଖାମ୍ବଲି ଘାଟ ମଧ୍ୟରେ ଏକ ହେରିଟେଜ୍ ଟ୍ରେନ୍ ଚଳାଚଳ କରିବ । ଏହାବ୍ୟତୀତ ସେ ଅନ୍ୟ ଦୁଇଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

୧୪୫ କିମି ଦୈର୍ଘ୍ୟ ବିଶିଷ୍ଟ ‘ଦେଗାନା-ରାୟ କା ବାଜ୍‌’ ରେଳପଥ ଏବଂ ୫୮ କିମି ଦୈର୍ଘ୍ୟ ବିଶିଷ୍ଟ ‘ଦେଗାନା-କୁଚାମନ୍ ସିଟି’ ରେଳପଥର ଦୋହରିକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଯୋଧପୁର ଏମ୍‌ସ ପରିସରରେ ନବନିର୍ମିତ ୩୫୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ଏବଂ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ୍‌କୁ ମୋଦୀ ଉଦ୍‌ଘାଟନ କରିଛନ୍ତି । ୪୮୦ କୋଟି ଟଙ୍କାରେ ଯୋଧପୁରରେ ନିର୍ମିତ ହେବାକୁ ଥିବା ଏୟାରପୋର୍ଟର ଶିଳାନ୍ୟାସ କରିବା ସହ ମୋଦୀ ଯୋଧପୁର ଆଇଆଇଟି କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି । ୧୧୩୫ କୋଟି ଟଙ୍କାରେ ଏହି କ୍ୟାମ୍ପସ ନିର୍ମାଣ କରାଯାଇଛି ।

ରାଜସ୍ଥାନ ସେଣ୍ଟ୍ରାଲ ୟୁନିଭର୍ସିଟୀ ପରିସରରେ ନିର୍ମିତ ସେଣ୍ଟ୍ରାଲ ଲାବୋରୋଟେରୀ, ଷ୍ଟାଫ୍ କ୍ୱାର୍ଟର ଏବଂ ଯୋଗଶିକ୍ଷା କେନ୍ଦ୍ରକୁ ମଧ୍ୟ ମୋଦୀ ଉଦ୍‌ଘାଟନ କରିଛନ୍ତି । ଏହାବ୍ୟତୀତ ମୋଦୀ ସେଣ୍ଟ୍ରାଲ ୟୁନିଭର୍ସିଟୀରେ ନିର୍ମିତ ହେବାକୁ ଥିବା ଲାଇବ୍ରେରୀ, ୬୦୦ ରୁମ୍ ବିଶିଷ୍ଟ ହଷ୍ଟେଲ ଏବଂ ଡାଇନିଂ ହଲ୍‌ର ଶିଳାନ୍ୟାସ କରିଛନ୍ତି । ଏହାବ୍ୟତୀତ ମୋଦୀ ୧୪୭୫ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଯୋଧପୁର ରିଙ୍ଗ୍ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଏକ ସଭାକୁ ସମ୍ବୋଧିତ କରି ମୋଦୀ ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲଟ୍ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟରେ କଂଗ୍ରେସ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ଭୋଟ୍ ବ୍ୟାଙ୍କ୍ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା ମୋଦୀ ଅଭିଯୋଗ କରିଛନ୍ତି । ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ରାଜସ୍ଥାନର ଲକ୍ଷାଧିକ ଯୁବକ ଯୁବତୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking