27.1 C
Bhubaneswar
Saturday, October 19, 2024
Homeଓଡିଶାଭୋଟ ପ୍ରଚାର କରୁଛି ପୋଷା କୁକୁର

ଭୋଟ ପ୍ରଚାର କରୁଛି ପୋଷା କୁକୁର

ସାନଖେମୁଣ୍ଡି :  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସିଲାଣି । ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ଉତ୍ସାହର ସହ ପ୍ରଚାରରେ ମାତିଛନ୍ତି । ଡାକବାଜି ଯନ୍ତ୍ରରେ ବିଭିନ୍ନ ଗୀତର ନକଲରେ ପ୍ରଚାରଗୀତ ସବୁଠି ବାଜୁଛି । ଯୋଡହସ୍ତ ପାଦଛୁଆଁ ସହ ପ୍ରାର୍ଥୀମାନେ ନିଜ ନିର୍ବାଚନୀ ଚିହ୍ନ ସମ୍ପର୍କରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । କିନ୍ତୁ ଏଭଳି ପ୍ରଚାର ଭିଡ଼ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଭୋଟ ପ୍ରଚାରଶୈଳୀ ଦେଖିବାକୁ ମିଳିଛି । ତିନୋଟି ପୋଷା କୁକୁରକୁ ନେଇ ନିଆରା ଢଙ୍ଗରେ ସତ୍ୟ, ଧର୍ମ, ନ୍ୟାୟ ଆଧାର ସହ କୋଭିଡ ସଚେତନତା ମାସ୍କ ପିନ୍ଧିବା, ଗାଇଡଲାଇନର ଅନୁପାଳନ କରିବା, ଭୋଟ କେନ୍ଦ୍ରରେ ଭୋଟ ଦେବା, ସଡକ ସୁରକ୍ଷା ହେଲମେଟ ପିନ୍ଧିବା ଭଳି ସଚେତନତା ବାର୍ତ୍ତା ମାଧ୍ୟମରେ ପ୍ରାର୍ଥୀ ପ୍ରଚାର ଚଳାଇଛନ୍ତି ।

ଏଭଳି ନିଆରା ପ୍ରଚାର କରୁଛନ୍ତି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୋଜାଲିନ ବେହେରା । ସେ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ । ନର୍ସିଂ ପାଠ ପଢ଼ା ପରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିବା ସହ କରୋନା ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟସେବା ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଲୋକଙ୍କୁ ଅଧିକ ସେବା ଓ ବିକାଶ ପାଇଁ ଚାକିରୀ ଛାଡ଼ି ଏବେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ତିନୋଟି ପୋଷା କୁକୁର ବେକରେ ସତ୍ୟ, ଧର୍ମ, ନ୍ୟାୟ ଲେଖା ହୋଇଥିବା ବେଳେ ସଚେତନତା ପାଇଁ କୁକୁର ମାନଙ୍କୁ ମାସ୍କ୍ ଲଗାଯାଇଛି ଓ ହେଲମେଟ ମଧ୍ୟ ପିନ୍ଧାଯାଇଛି ।

ଏଭଳି ଗାଁକୁ ଗାଁ, ସାହି ବୁଲି ରୋଜାଲିନଙ୍କ ପାଇଁ ପ୍ରଚାର ଜୋରଦାର ଚାଲିଛି । ତାଙ୍କ ବାପା କାଳୁଚରଣ ବେହେରା ପ୍ରଚାରର ମଙ୍ଗ ଧରିଛନ୍ତି । ରୋଜାଲିନଙ୍କ ମା’ ଜଣେ ଆଶାକର୍ମୀ ଭାବେ ଲୋକଙ୍କ ସେବା କରୁଥିବା ବେଳେ ବାପା ଔଷଧ ଦୋକାନ କରି ଲୋକଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ସେବା କ୍ଷେତ୍ରରେ ସହଯୋଗ କରିବା ସହ ସୁଖ ଦୁଃଖରେ ସାମିଲ ହେଉଥିବା ଲୋକେ କହିଛନ୍ତି । ରୋଜାଲିନ ଜଣେ ଶିକ୍ଷିତ ଝିଅ ହୋଇଥିବାରୁ ତାଙ୍କ ଦ୍ୱାରା ପଞ୍ଚାୟତର ବିକାଶ ହେବ ବୋଲି ମଧ୍ୟ ଲୋକେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking