ଦୁବାଇ: ସାଉଥ୍ ଆଫ୍ରିକା ବ୍ୟାଟ୍ସମ୍ୟାନ୍ କିଗାନ୍ ପିଟରସନ୍ ଓ ଅଣ୍ଡର-୧୯ ବିଶ୍ୱକପ୍ରେ ଷ୍ଟାର୍ ଡେଭାଲ୍ଡ ବ୍ରେଭିସ୍ଙ୍କ ନାମ ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ସୁପାରିସ କରାଯାଇଛି । ଏମାନଙ୍କ ବ୍ୟତୀତ ଜାନୁଆରୀ ମାସରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ବାଂଲାଦେଶର ଇବାଦତ୍ ହୁସେନ୍ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି । ଭାରତ ବିପକ୍ଷ ଘରୋଇ ସିରିଜ୍ରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା । ପିଟରସନ୍ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ମୋଟ ୨୪୪ ରନ୍ ସଂଗ୍ରହ କରିଥିଲେ । ସେହିପରି ‘ବେବି ଏବି’ (ଏବି ଡିଭିଲିୟର୍ସ) କୁହାଯାଉଥିବା ବ୍ରେଭିସ୍ ଅଣ୍ଡର-୧୯ ବିଶ୍ୱକପ୍ର ଛଅଟି ଇନିଂସ୍ରେ ୮୪.୩୩ ହାରରେ ମୋଟ ୫୦୬ ରନ୍ କରିବା ସହ ୭ଟି ୱିକେଟ୍ ହାସଲ କରିଥିଲେ ।
ୱେଷ୍ଟଇଣ୍ଡିଜ୍ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ରେ ଦୁଇଟି ଶତକ ଓ ତିନିଟି ଅର୍ଦ୍ଧଶତକ ସହ ଉନ୍ନତ ପ୍ରଦର୍ଶନ କରିବା ଯୋଗୁଁ ତାଙ୍କୁ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ବିବେଚିତ କରାଯାଇଥିଲା । ଅନ୍ୟପକ୍ଷରେ ବାଂଲାଦେଶ ଫାଷ୍ଟ ବୋଲର୍ ହୁସେନ୍ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ୯ଟି ୱିକେଟ୍ ନେଇଥିଲେ । ସେ ପ୍ରଥମ ଟେଷ୍ଟରେ ୨୬ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ବଳରେ ବାଂଲାଦେଶ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଜିତିଥିଲା । ମହିଳା କ୍ରିକେଟର୍ଙ୍କ ମଧ୍ୟରେ ଶ୍ରୀଲଙ୍କାର ଚାମାରୀ ଅଟାପାଟ୍ଟୁ, ୱେଷ୍ଟଇଣ୍ଡିଜ୍ର ଡିଏଣ୍ଡ୍ରା ଡୋଟିନ୍ ଓ ଇଂଲଣ୍ଡର ହିଥର ନାଇଟ୍ ଏହି ଦୌଡ଼ରେ ସାମିଲ ହୋଇଛନ୍ତି ।