ପର୍ଥ: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପର୍ଥ ଟେଷ୍ଟ୍ର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ୩୪୬/୫ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୪୮୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ମିଚେଲ୍ ମାର୍ଶ ୯୦ ରନ୍ କରିଥିବା ବେଳେ ପାକିସ୍ତାନ ପକ୍ଷରୁ ଟେଷ୍ଟ୍ ଡେବ୍ୟୁ କରିଥିବା ଆମେର୍ ଜମାଲ୍ ୬ ୱିକେଟ୍ ଅକ୍ତିଆର କରିଥିଲେ । ଏହାପରେ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ପାକିସ୍ତାନ ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା । ଇମାମ୍-ଉଲ୍-ହକ୍ ୩୮ ଏବଂ ଖୁରମ୍ ଶହଜାଦ୍ ୭ ରନ୍ରେ ବ୍ୟାଟିଂ କରୁଥିଲେ । ପୂର୍ବରୁ ଓପ୍ନର୍ ଅବ୍ଦୁଲ୍ଲାହ ଶଫିକ୍ ୪୨ ଏବଂ କ୍ୟାପ୍ଟେନ୍ ଶାନ୍ ମସୁଦ୍ ୩୦ ରନ୍ରେ ଆଉଟ୍ ହୋଇଥିଲେ ।
ନାଥନ୍ ଲିଅନ୍ ଏବଂ ମିଚେଲ୍ ଷ୍ଟାର୍କଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଦ୍ୱିତୀୟ ଦିନ ୱିକେଟ୍କିପର୍ ଆଲେକ୍ସ କେରୀ ଓ ମିଚେଲ୍ ମାର୍ଶ ଅଷ୍ଟ୍ରେଲିଆର ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ ୯୦ ରନ୍ର ଭାଗୀଦାରୀ କରିଥିଲେ । କେରୀ ୩୪ ରନ୍ରେ ଆଉଟ୍ ହେବାପରେ ଏହି ଯୋଡ଼ି ଭାଙ୍ଗିଥିଲା । ଏହାପରେ ମିଚେଲ୍ ଷ୍ଟାର୍କ ୧୨, କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ୯, ନାଥନ୍ ଲିଅନ୍ ୫ ଓ ଜୋଶ୍ ହେଜଲ୍ଉଡ୍ ୪ ରନ୍ କରିଥିଲେ । ମାର୍ଶ ୯୦ ରନ୍ର ଇନିଂସ୍ ଖେଳି ଖୁରମ୍ଙ୍କ ଶିକାର ହୋଇଥିଲେ । ପାକିସ୍ତାନର ଡେବ୍ୟୁଟାଣ୍ଟ୍ ଫାଷ୍ଟ୍ ବୋଲର୍ ଆମେର୍ ଜମାଲ୍ ୧୧୧ ରନ୍ ଦେଇ ୬ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହା ସହିତ ଅନ୍ୟତମ ଡେବ୍ୟୁଟାଣ୍ଟ୍ ଖୁରମ୍ ଶହଜାଦ୍ଙ୍କୁ ଦୁଇଟି ସଫଳତା ମିଳିଥିଲା । ଶାହିନ୍ ଶାହ ଆଫ୍ରିଦି ଓ ଫହିମ୍ ଅଶରଫ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।