17.1 C
Bhubaneswar
Sunday, November 24, 2024
Homeଓଡିଶାଡାକ୍ତରଖାନାରେ ଚିକିତ୍ସା ଅବହେଳା : ଚିହ୍ନା ନଥିଲେ ଗର୍ଭବତୀଙ୍କୁ ଦେଉନାହାନ୍ତି ଶଯ୍ୟା

ଡାକ୍ତରଖାନାରେ ଚିକିତ୍ସା ଅବହେଳା : ଚିହ୍ନା ନଥିଲେ ଗର୍ଭବତୀଙ୍କୁ ଦେଉନାହାନ୍ତି ଶଯ୍ୟା

ଝାରସୁଗୁଡା: ଏଠି ସବୁ ଲୋକ ଦେଖାଣିଆ । ଖାଲି କୋଠା ଅଛି କୋଠା । ଏଠିକାର ଡାକ୍ତର ଓ ଷ୍ଟାଫଙ୍କ ନା ଅଛି ମାନବିକତା ନା ଅଛି ଚିକିତ୍ସା କରିବାର ମାନସିକତା । ଫଳରେ ରୋଗୀଙ୍କ ଜୀବନପ୍ରତି ବିପଦ ଆସିବାସହ ସେମାନେ ଅକାରଣେ ହଇରାଣ ହେଉଛନ୍ତି । ଏହିପରି ଏକ ଅଭିଯୋଗ ଆଣିଛନ୍ତି ଗୁରୁବାର ସକାଳେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ଗର୍ଭବତୀ ସ୍ତ୍ରୀକୁ ଭର୍ତ୍ତି କରିଥିବା ଲଖନପୁର ବ୍ଲକ ସାଗରପାଲି ଗ୍ରାମର ନିର୍ମଲ ଚନ୍ଦ୍ର ବଣିଆ । ନିର୍ମଳଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ତ୍ରୀଙ୍କ ପ୍ରସବ ସମୟ ହେବାରୁ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁରୁବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ବିଭିନ୍ନ ପରୀକ୍ଷା ନିରିକ୍ଷା କରି ପରବର୍ତ୍ତୀଦିନ ସକାଳେ ଅସ୍ତ୍ରୋପ୍ରଚାର କରାଯିବବୋଲି କହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଶଯ୍ୟା ଯୋଗା ଯାଇନଥିଲା । ଫଳରେ ସେ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଚଟାଣରେ ରଖିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଏ ବିଷୟରେ ଜାଣିବାପରେ ଜଣେ ସମାଜସେବୀ ନିର୍ମଳଙ୍କ ସ୍ତ୍ରୀଙ୍କ ପାଇଁ ଏକ ଶଯ୍ୟାର ବ୍ୟବସ୍ଥା କରାଇଥିଲେ । ଅନ୍ୟପଟେ ରାଧାରାଣୀଙ୍କ ହିମୋଗ୍ଲୋବିନ ୧୨.୩ ଥିବା ବେଳେ ହସ୍ପିଟାଲ ଷ୍ଟାଫମାନେ ଶୁକ୍ରବାର ସକାଳ ୮ ମଧ୍ୟରେ ଏକ ୟୁନିଟ ରକ୍ତ ବ୍ୟବସ୍ଥା ନକଲେ ଅସ୍ତ୍ରୋପ୍ରଚାର ହୋଇପାରିବ ନାହଁ ବୋଲି କହିଥିଲେ । ଫଳରେ ନିର୍ମଳ ନିଜର ଜଣେ ସମ୍ପର୍କୀୟଙ୍କୁ ରକ୍ତ ଡୋନେଟ କରିବା ପାଇଁ ଯୋଗାଯେଗ କରିଥିଲେ । ହେଲେ ହଠାତ ସଂଧ୍ୟା ପ୍ରାୟ ୮ଟାରେ ରାଧାରାଣୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ନିର୍ମଲ ହସ୍ପିଟାଲ ଷ୍ଟାଫଙ୍କୁ ଜଣାଇଥିଲେ । ସେମାନେ ଏକ ପେନ୍‌କିଲ୍‌ର୍ ଇନ୍‌ଜେକ୍‌ସ୍‌ନ୍ ଦେଇ ପ୍ରବସ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ରାତି ୧୦ଟାରେ ବୁର୍ଲା ଡାକ୍ତରଖାନାକୁ ରେଫର କରିଥିଲେ । ହେଲେ ରାଧାରାଣୀଙ୍କ ଅସହ୍ୟ ଯନ୍ତ୍ରଣା ଦେଖି ତାଙ୍କ ପରିବାର ଲୋକେ ବୁର୍ଲା ନୁହେଁ ବରଂ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରନ୍ତୁ ବୋଲି ଅନୁରୋଧ କରିଥିଲେ । ହେଲେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲେ ଆମ୍ବୁଲାନ୍ସ ଯୋଗାଇଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍ ଜିଲ୍ଲା ହସ୍ପିଟାଲର ଷ୍ଟାଫମାନେ କହିଥିଲେ । ଫଳରେ ମାତ୍ର ୩୦ କିଲୋମିଟର ଦୂରରେ ଥିବା ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାପାଇଁ ନିର୍ମଳ ବାଧ୍ୟ ହୋଇ ୨ ହଜାର ଟଙ୍କା ଗଣିଥିଲେ । ତେବେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏବଂ ଷ୍ଟାଫମାନେ ଶୀଘ୍ର ପରୀକ୍ଷୀ ନିରୀକ୍ଷା କରିବାସହ ଅସ୍ତ୍ରୋପ୍ରଚାର କରିଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁତ୍ର ସନ୍ତାନ ହେବାସହ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି । ତେବେ ନିଜସ୍ୱ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା କରି ରୋଗୀଙ୍କୁ ରାତି ଅଧିଆ ତଡ଼ି ଦେବା ଯଥାର୍ଥ ନୁହେଁ । ତାଙ୍କ ପରି ଅନେକ ରୋଗୀ ଏହି ପରି ହଇରାଣ ହରକତ ହେଉଥିବେ । ତେଣୁ ଏହି ଘଟଣାର ତଦନ୍ତ କରାଯାଉ ଏବଂ ଆଗକୁ ଯେପରି କୌଣସି ରୋଗୀ ହଇରାଣ ନହେବେ ସେଥିପ୍ରତି ଧ୍ୟାନ ଦିଆଯାଉବୋଲି ନିର୍ମଳ ଦାବି କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ସମାଜସେବୀ ଦେବାନନ୍ଦ ବାରିକ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟମିତ ଭାବରେ ଚିକିତ୍ସାରେ ଅବହେଳା ହେଉଛି । ଫଳରେ ରୋଗୀମାନେ ବହୁ ଅସୁିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତ ରାୟଙ୍କୁ ପଚାରିବାରୁ କହିଛନ୍ତି ଯେ, ରୋଗୀଙ୍କ ନାମ ଏବଂ ଭର୍ତ୍ତି ସମୟ କହିଲେ ଏବାବଦରେ ସେ ପ୍ରକୃତ ତଥ୍ୟ କହିପାରିବେ । ପ୍ରକାଶଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଚିକିତ୍ସା ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ଏବଂ ମା’ମୃତ୍ୟୁ ହୋଇଥିବାନେଇ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking