34.1 C
Bhubaneswar
Thursday, April 25, 2024
Homeଅପରାଧଧଉଳି ବୁଲାଇବା ବାହାନାରେ ଏସିଡ୍ ଫିଙ୍ଗି ଚମ୍ପଟ ମାରିଥିଲା ଧୋକାବାଜ ପ୍ରେମିକ

ଧଉଳି ବୁଲାଇବା ବାହାନାରେ ଏସିଡ୍ ଫିଙ୍ଗି ଚମ୍ପଟ ମାରିଥିଲା ଧୋକାବାଜ ପ୍ରେମିକ

ଭୁବନେଶ୍ୱର: ଧଉଳି ବୁଲାଇବା ବାହାନାରେ ଡାକି ଏସିଡ୍ ଫିଙ୍ଗି ଚମ୍ପଟ ମାରିଥିଲା ଧୋକାବାଜ ପ୍ରେମିକ । ଧଉଳି ପାହାଡ଼ରେ ଯୁବତୀଙ୍କୁ ଏସିଡ୍ ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ପାପୁନି ରାଉତକୁ ଗୁଜରାଟରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତ ଅଗଷ୍ଟ ୧୧ ତାରିଖରେ ଯୁବତୀଙ୍କୁ ବୁଲିବାକୁ ଡାକି ଏସିଡ୍ ମାଡ଼ କରିଥିଲା ଅଭିଯୁକ୍ତ । ପୂର୍ବରୁ ପାପୁନି ସମ୍ପୃକ୍ତ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ ହେଲେ ଘରକୁ ନେଇନଥିଲେ । ସୂଚନା ଅନୁଯାୟୀ, ନିମାପଡ଼ା ଅଞ୍ଚଳର ପାପୁନି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହର ରୂପ ନେଇଥିଲା । ଉଭୟ ନୋଟାରୀରେ ବିବାହ କରିଥିଲେ । ବିବାହ ପରେ ଯୁବତୀଙ୍କୁ ନିଜ ଘରକୁ ନେଉନଥିଲା ପାପୁନି । ଶାଶୂ ଘରକୁ ଯିବା ପାଇଁ ଚାହିଁଲେ ତାଙ୍କୁ ବିଭିନ୍ନ ବାହାନା କରି ପାପୁନି ଅଟକାଇ ଦେଉଥିଲା । ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଚିନ୍ତିତ ଥିଲେ ପାପୁନି । ଯେଉଁଥି ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ପାପୁନି । ଗତ ୧୧ ତାରିଖରେ ଧଉଳି ବୁଲାଇବା ବାହାନାରେ ପ୍ରେମିକାକୁ ପାପୁନି ଡାକିଥିଲା । ଉଭୟେ ସ୍ୱାମୀ-ସ୍ତ୍ରୀ ଧଉଳି ଆଖାପାଖ ଅଞ୍ଚଳ ବୁଲିଥିଲେ । ଅପରାହ୍ନରେ ଶାନ୍ତିସ୍ତୁପ ନିକଟରେ ଯୁବତୀଙ୍କ ଉପରେ ସାଙ୍ଗରେ ଆଣିଥିବା ଏସିଡ୍ ଫିଙ୍ଗି ଦେଇଥିଲା ପାପୁନି । ଏହା ପରେ ସେଠାରୁ ସେ ଚମ୍ପଟ ମାରିଥିଲା । ସେପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା । ସେପଟେ ପାପୁନି ଏସିଡ୍ ମାଡ଼ କରି ଗୁଜରାଟ୍ ପଳାଇଥିଲା । ସେଠାରେ ବିଭିନ୍ନ ସ୍ଥାନରେ କାମ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗୁଜରାଟ ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking