ଫୁଲବାଣୀ : ଦେଶ ସ୍ୱାଧୀନତାକୁ ପୁରିଲାଣି ୭୫ ବର୍ଷ । ସତେ ଯେମିତି ବିକାଶ ପାଲଟିଛି ଅଭିଶପ୍ତ । ଆଜି ମଧ୍ୟ ଅନେକ ଅଞ୍ଚଳକୁ ନାହିଁ ଭଲ ରାସ୍ତାଖଣ୍ଡିଏ । ଭଲ ରାସ୍ତା ନଥିବା କାରଣରୁ ରୋଗୀ ଆଣିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚିପାରିଲା ନାହିଁ ରୋଗୀଙ୍କ ପାଖରେ । ଶେଷରେ ଅସୁସ୍ଥଙ୍କ ଜୀବନ ଚାଲିଯାଇଛି । ସବୁଦିନ ପାଇଁ ଆଖି ବୁଜିଛନ୍ତି ଅସହାୟ ଜୀବନ ବିତାଉଥିବା ମହେନ୍ଦ୍ର ବଗର୍ତ୍ତିୀ । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଗୁଦାରି ପଞ୍ଚାୟତ ସୁଡ଼ିଲିଖମାରି ଗ୍ରାମରେ । ଉକ୍ତ ଗ୍ରାମରେ ଏକୁଟିଆ ଜୀବନ ବିତାଉଥିବା ମହେନ୍ଦ୍ର ବଗର୍ତ୍ତି ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ସେ ଗୁରୁତର ହୋଇପଡ଼ିଥିଲେ । ତୁରନ୍ତ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ଆସି ପହଞ୍ଚିଥିଲା । ଖମାର ଗ୍ରାମରେ ପହଞ୍ଚିବା ପୂର୍ବରୁ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା । କାଦୁଅ ରାସ୍ତାରେ ଫସିଯିବା ଭୟରେ ଆମ୍ବୁଲାନ୍ସ ଗାଡ଼ି ଚାଳକ ଆଉ ଆଗକୁ ନେବାକୁ ଉଚିତ୍ ମଣିନଥିଲା । ଠିକ୍ ଏହି ସମୟରେ ଅନ୍ୟ ଏକ କାର୍ ଉକ୍ତ ରାସ୍ତାରେ ଯାଉଥିବା ବେଳେ କାରଟି ମଧ୍ୟ କାଦୁଆ ମଧ୍ୟରେ ଫସିଯାଇଥିଲା । ଫଳରେ ଗ୍ରାମବାସୀ ଏକଜୁଟ୍ ହୋଇ ବହୁ କଷ୍ଟରେ କାର୍କୁ ବାହାରକୁ କାଢ଼ିଥିଲେ ମଧ୍ୟ ଯେଉଁ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା ତାହା ଆଉ କାମରେ ଲାଗିପାରିଲା ନାହିଁ । ଶ୍ୱାସ ରାଗରେ ପୀଡ଼ିତ ମହେନ୍ଦ୍ର ମେଡ଼ିକାଲରେ ପହଞ୍ଚି ନପାରି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୁଡ଼ୁଲି ଖବର ଗ୍ରାମର ଅଧିବାସୀ ଅଭିଯୋଗ କରିଛନ୍ତି । ଏହି ଗ୍ରାମର କେବଳ ଏହି ରାସ୍ତା ନୁହେଁ, ଗ୍ରାମକୁ ଯୋଗାଯୋଗ କରୁଥିବା ଖଉମୁଣ୍ଡାଠାରୁ ନବଗୁବା ରାସ୍ତାର ମଧ୍ୟ ଭାଗରୁ ଏକ ଅସଜଡ଼ା ମାଟି ରାସ୍ତା ଉପରେ ନିର୍ଭର କରନ୍ତି ସୁଡ଼ୁଲିଖମାର ଜାମୁସାହିର ପ୍ରାୟ ୯୦ ପରିବାର । ସ୍ଥାୟୀ ପକ୍କା ରାସ୍ତା ନଥିବା ଯୋଗୁଁ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେହିଭଳି ପଞ୍ଚାୟତକୁ ଯାଇ ହିତାଧିକାରୀମାନେ ସେମାନଙ୍କର ଚାଉଲ ଓ ଅନ୍ୟ ସାମଗ୍ରୀ ଆଣିବାରେ ହେଉ କିମ୍ବା ଗ୍ରାମର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାକୁ ହେଲେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥଳେ ଆଜି ଅକାରଣରେ ଗୋଟିଏ ଜୀବନ ଚାଲିଯାଇଛି । ପୁଣି ଆଉ ଏକ ଜୀବନ ଚାଲିଯିବା ପୂର୍ବରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ନଦିଅନ୍ତି ତାହାହେଲେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅଞ୍ଚଳବାସୀ ଭୋଟ ବର୍ଜନ ସହିତ କୌଣସି ଜନ ପ୍ରତିନିଧି କିମ୍ବା ସରକାରୀ କର୍ମଚାରୀଙ୍କୁ ଗ୍ରାମରେ ପ୍ରବେଶ କରାଇ ଦେବେ ନାହିଁ ବୋଲି ମଧ୍ୟ ଖୋଲାଖୋଲି ଭାବେ ସୁଡ଼ିଲିଖମାରି ଗ୍ରାମର ରଞ୍ଜିତ୍ ସିଂ, ରବୀନ୍ଦ୍ର ଗଣ୍ଡା, କୃଷ୍ଣ ଚନ୍ଦ୍ର ବେହେରା, ସନ୍ତୋଷ ସିଂ, ରାମଚନ୍ଦ୍ର କହଁର, ତିଳୋତ୍ତମା ଦଳଛତ୍ର, ସୁଷମା ସେଠୀ, ରଞ୍ଜନା ଦେହୁରୀ , ବାଲୁଙ୍କେଶ୍ୱର ଦଳଛତ୍ର , ବିପ୍ର ଚରଣ ଦଳଛତ୍ର, ଅଜୟ କୁମାର ଦଳଛତ୍ର, ଆକାଶ ବେହେରା, ସନାନନ୍ଦ ଭୁକ୍ତା ଅରୁଣ କୁମାର ଗଣ୍ଡା, ନିରଦ ଦେହୁରୀ ଓ ଅନ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।