ପ୍ୟାରିସ୍: ଭାରତ ପାଇଁ ସୋମବାର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଛି । ପ୍ୟାରିସ୍ ଠାରେ ଚାଲିଥିବା ପାରା ଅଲିମ୍ପିକ୍ସର ୫ମ ଦିବସରେ ଭାରତକୁ ଆଜି ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ମିଳିଛି । ପ୍ୟାରିସ୍ରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସ ଗେମ୍ସରେ ଭାରତର ଷ୍ଟାର ପାରା ଶଟଲର୍ ନୀତେଶ କୁମାର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସକସ୍ ଥ୍ରୋ ବର୍ଗରେ ଯୋଗେଶ କଥୁନିଆ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।
ନୀତେଶ କୁମାରଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ୭୯ ମିନିଟ ଧରି ଲଢ଼େଇ କରିବାକୁ ପଡ଼ିଥିଲା । ଶେଷରେ ସେ ୨-୧ ପଏଣ୍ଟରେ ଅଗ୍ରଣୀ ହୋଇ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି । ନୀତେଶ କୁମାର ପ୍ରଥମ ସେଟକୁ ୨୧-୧୨ରେ ସହଜରେ ଜିତି ନେଇଥିଲେ । ଏହି ସେଟ୍ଟି ୩୧ ମିନିଟ ଧରି ଚାଲିଥିଲା । ସେହିପରି ଦ୍ୱିତୀୟ ସେଟ୍ରେ ଡାନିଏଲ କମବ୍ୟାକ କରି ୧୮-୨୧ରେ ନୀତେଶଙ୍କୁ ହରାଇ ଦେଇଥିଲେ । ସ୍ଥିତି ୧-୧ ହୋଇଯିବାରୁ ମ୍ୟାଚ୍ ନିର୍ଣ୍ଣାୟକ ସେଟ୍କୁ ଯାଇଥିଲା । ଏହି ସେଟ୍ରେ ଡାନିଏଲ ପ୍ରଥମ ହାଫରେ ନୀତେଶ କୁମାରଙ୍କ ଉପରେ ଚାପ ପକାଇଥିଲେ । ହେଲେ ମିଡ୍ ଟାଇମ୍ ବ୍ରେକ୍ ପରେ ନୀତେଶ କୁମାର କମ୍ବ୍ୟାକ କରିଥିଲେ । ସେ ଏହି ସେଟ୍କୁ ୨୩-୨୧ରେ ଜିତି ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି । ତୃତୀୟ ସେଟ୍ଟି ୨୩ ମିନିଟ୍ ଧରି ଚାଲିଥିଲା ।
ଓଡ଼ିଶାର ଷ୍ଟାର କ୍ରୀଡାବିତ୍ ପ୍ରମୋଦ ଭଗତଙ୍କୁ ନିଜ ଆଦର୍ଶ ମନେ କରୁଥିବା ନୀତେଶ ଏସଏଲ ୩ ବର୍ଗରେ ଖେଳିବା ଆରମ୍ଭ କରିଥିବା ବେଳେ ୨୦୧୬ରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ୍ କୋର୍ଟକୁ ଓହ୍ଲାଇଥିଲେ । ସେ ସିଙ୍ଗ କୋର୍ଟରେ ଖେଳିବା ସହ ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ । ପୁରୁଷ ଏକକ ବ୍ୟାଡମିଣ୍ଟନର ଏସ୍ଏଲ୍ ୩ ବର୍ଗରେ ନୀତେଶଙ୍କ ସ୍ୱର୍ଣ୍ଣ ଜିତିବାକୁ ନେଇ ସମଗ୍ର ଦେଶ ଏବେ ବେଶ୍ ଉତ୍ସାହିତ ହୋଇପଡିଛି । ନୀତେଶ କୁମାର ଗ୍ରେଟ ବ୍ରିଟେନର ଡାନିଏଲ ବେଥଲେଙ୍କ ସହ କଡ଼ା ସଂଘର୍ଷ କରି ଏହି ସଫଳତା ପାଇଛନ୍ତି ।
ନୀତେଶ କୁମାର ସ୍ୱର୍ଣ୍ଣ ଜିତିବାରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସେହିପରି ଚଳିତ ପାରା ଅଲିମ୍ପିକ୍ସରେ ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ । ନୀତେଶ କୁମାରଙ୍କ ପୂର୍ବରୁ ୧୦ ମିଟର ଏୟାର ରାଇଫଲ (ଏସଏଚ୍ ୧)ରେ ଅବନୀ ଲେଖାର ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣିମ ସଫଳତା ଆଣିଥିଲେ ।
ସେହିପରି ପୁରୁଷ ଡିସ୍କସ୍ ଥ୍ରୋ ଏଫ ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ । ୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଥ୍ରୋ ସହିତ ରୌପ୍ୟ ହାତେଇଛନ୍ତି । ଲଗାତର ଭାବେ ଦ୍ୱିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ । ଏହି ଇଭେଣ୍ଟ୍ରେ ବ୍ରାଜିଲର ବତିସ୍ତା ଡସ୍ ସାଣ୍ଟୋସ୍ କ୍ଲାଉଡିନି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବତିସ୍ତା ୪୬.୮୬ ମିଟରର ସର୍ବୋତ୍ତମ ଥ୍ରୋ ସହିତ ଏହି ସଫଳତା ହାସଲ କରିଛନ୍ତି । ଅପରପକ୍ଷେ ଗ୍ରୀସ୍?ର ଜୋନିସ୍ କନ୍?ଷ୍ଟାଣ୍ଟିନୋସ୍ ୪୧.୩୨ ମିଟର ଥ୍ରୋ ସହିତ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି ।