ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଗତକାଲି ଶ୍ରୀନହରରେ ଗଜପତିଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ ଓ ଆଙ୍କୁରାରୋପଣ ପରେ ଆଜି ଅଙ୍କୁର ପୂଜନ, ପ୍ରଥମ ମଣ୍ଡଳ କଟା ଶେଷ ହୋଇଛି । ଏଥି ସହ ଲୋକାର୍ପିତ ହେବାକୁ ଥିବା ଅଷ୍ଟଧାତୁ ଫଳକର ମାପଚୁପ ମଧ୍ୟ କରାଯାଇଛି ।
ଯଜ୍ଞରୂପୀ ଜଗନ୍ନାଥ । ତେଣୁ ତାଙ୍କର ଭକ୍ତଙ୍କ ପାଇଁ ହେଉଥିବା ମନ୍ଦିର ପରିକ୍ରମା ପ୍ରକଳ୍ପର ଯଜ୍ଞ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଥିଲା । ଗତକାଲି ଆଦ୍ୟ ସେବକ ଗଜପତିଙ୍କ ଦ୍ୱାରା ଗୁଆ ଟେକା, ଆଚାର୍ଯ୍ୟ ବରଣ ପରେ ଅଙ୍କୁରାରୋପଣ ହୋଇଥିଲା । ଆଜି ଯଜ୍ଞ ମଣ୍ଡପ ପାର୍ଶ୍ୱରେ ହୋଇଥିବା ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶିଷ୍ଟ ଅଙ୍କୁରାରୋପଣ ଗୃହରେ ପୂର୍ବାହ୍ନ ୧୧ଟା ପରେ ବରଣ ହୋଇଥିବା ୧୦ ପ୍ରମୁଖ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଅଙ୍କୁର ପୂଜନ ହୋଇଥିଲା । ପରେ ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ଅଙ୍କୁର ପୂଜନ କରାଯାଇଥିଲା । ଅଙ୍କୁରାରୋପଣ ହୋଇଥିବା ୭ ପ୍ରକାର ଶସ୍ୟରେ ଏହି ଅଙ୍କୁର ପୂଜନ ସହ ଉତ୍ସର୍ଗ ପୂଜା ହୋଇଥିଲା ।
ଏହା ପରେ ମୁଖ୍ୟ ଯଜ୍ଞ ମଣ୍ଡପରେ ପ୍ରଥମ ମଣ୍ଡଳ କଟା ଶେଷ ହୋଇଥିଲା । ୪୮ ଜଣ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରୁ ୩ ଦିନ ଧରି ଯଜ୍ଞ କରାଯିବ । ଏଥି ସହ ଲୋକାର୍ପଣ ପଥର ଫଳକରେ ଅଷ୍ଟଧାତୁ ଖୋଦେଇ ହେବ । ପଥର ଚତୁଃପାର୍ଶ୍ୱ କପଡ଼ା ଦ୍ୱାରା ଆବୃତ୍ତ ଦୁଇ ପାର୍ଶ୍ୱରେ ୬ ଇଞ୍ଚରେ ଝାଲର ଲାଗିବ । ଫଳକରେ କପଡ଼ା ଆବୃତ୍ତ ତଥା ଝାଲର ଲାଗିବା ପାଇଁ ଆଜି ମାପଚୁପ ଶେଷ ହୋଇଛି । ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଲୋକାର୍ପଣ ପଥର ଫଳକ ।
ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥିରେ ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ । ପୂର୍ବ ବା ସିଂହଦ୍ୱାରରେ ଋକ୍ ବେଦ, ପଶ୍ଚିମ ଦ୍ୱାରରେ ସାମ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ । ଅନ୍ୟପକ୍ଷରେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟ ଅଧିକାରୀଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମାର୍ଗ ଦେଇ ଯଜ୍ଞ ସ୍ଥଳକୁ ଆସିବେ ।
ମନ୍ତ୍ରୀ, ସାଂସଦ, ଅତିଥିମାନେ ମଧ୍ୟ ଶ୍ରୀମାର୍ଗ ଦେଇ ଆସିବେ । ସବୁ ପ୍ରକଳ୍ପ କାମ ଶେଷ ହୋଇଛି । ବର୍ତ୍ତମାନ ୧୭ ତାରିଖ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ଉତ୍ତର ପାର୍ଶ୍ୱ ମଠ ପାଖରେ ୯୦୦ ଅତିଥିଙ୍କ ବସିବା, ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଲ୍ଇଡି ସ୍କ୍ରିନ ମାଧ୍ୟମରେ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅତିଥିଙ୍କ ସହ ସାଧାରଣ ଲୋକ ଦେଖିପାରିବେ ।
୧୭ ତାରିଖ ଅପରାହ୍ନ ୩ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ । ମକର ସଂକ୍ରାନ୍ତି ସହ ୧୭ ତାରିଖ ପର୍ଯ୍ୟନ୍ତ ଦର୍ଶନରେ କୌଣସି କଟକଣା ରହିବ ନାହିଁ । ଶ୍ରୀମନ୍ଦିର ଚାରି ଦ୍ୱାର ଫୁଲରେ ସଜ୍ଜିତ କରାଯିବା ସହ ବେଦ ପାଠ ଓ ଯଜ୍ଞର ମନ୍ତ୍ର ଧ୍ୱନି ବଡ଼ଦାଣ୍ଡରେ ସବୁ ଭକ୍ତଙ୍କ କାନରେ ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ୧୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ସ୍ଥାନ ଓ ଯଜ୍ଞ ମଣ୍ଡପ ନିକଟକୁ କାହାକୁ ଛଡାଯିବ ନାହିଁ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ବାସ୍ତୁ ଶାସ୍ତ୍ର ଆଧାରରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଇଛି । ଆସନ୍ତା ୧୫ ତାରିଖରୁ ହୟୋଶ୍ରୀର୍ଶକ୍ତ ମନ୍ତରେ ଗୁଞ୍ଜରିତ ହେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ । ପ୍ରତିଦିନ ଏକ ହଜାର ଲେଖାଏଁ ହିସାବରେ ୩୦୦୦ ଆହୁତି ଦିଆଯିବ ।