କଟକ: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତର ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି । ହାଇକୋର୍ଟର ବିଚାରପତି ଏସ୍.କେ. ସାହୁଙ୍କ ଇଜିଲାସ ଉକ୍ତ ନାବାଳକର ଜାମିନ ଆବେଦନକୁ ଖାରଜ କରିଛନ୍ତି । ନୟାଗଡ ପୋଷ୍କୋ କୋର୍ଟରେ ଚାଲୁଥିବାରୁ ମାମଲାର ଶୁଣାଣି ହାଇକୋର୍ଟ ନାବଳକ ଅଭିଯୁକ୍ତ ତଥା ମାମଲାର ଆବେଦନକାରୀକୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ଫେବୃୟାରୀ ୨୦୨୪ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ନିମ୍ନ ଅଦାଲତ ଏହି ମାମଲାରେ କୌଣସି ପକ୍ଷଙ୍କୁ ମହଲତ ଦେବେ ନାହିଁ ବୋଲି ମଧ୍ୟ ହାଇକୋର୍ଟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି । ସୂଚନାଥାଉକି ନୟାଗଡ ଯଦୁପୁର ଅଞ୍ଚଳର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀକୁ ଗତ ୨୦୨୦ ଜୁଲାଇ ୭ ତାରିଖ ଦିନ ଅପହରଣ କରାଯାଇଥିଲା ବୋଲି ଆବେଦନକାରିଣୀ ସୌଦାମିନୀ ସାହୁ ହାଇକୋର୍ଟରେ ରୁଜୁ ମାମଲାରେ ଦର୍ଶାଇଥିଲେ । ଘଟଣାର ୯ଦିନ ପରେ ସ୍ଥାନୀୟ ଥାନାରେ ଏ ସମ୍ପର୍କରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା । ତେବେ ୨୩ ଜୁଲାଇରେ ସୌଦାମିନୀଙ୍କ ଘର ପଛପଟ ପୋଖରୀ ନିକଟରୁ ଏକ ଖଣ୍ଡବିଖଣ୍ଡିତ ମୃତ ଦେହ ବିକୃତ ଆକାରରେ ମିଳିଥିଲା ।
ଉକ୍ତ ଘଟଣାରେ ପୁଲିସ୍ ଆଇପସିର ୩୦୨/୩୬୩/୩୬୪ ଆଧାରରେ ଏକ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ଶବର ଡିଏନ୍ଏ ଟେଷ୍ଟ୍ ପରେ ମୃତ ଦେହ ପରୀର ବୋଲି ଜଣାପଡିଥିଲା । ରାଜ୍ୟ ସରକାର ଏହାର ଏସ୍ଆଇଟି ସ୍ତରୀୟ ତଦନ୍ତ ଆଦେଶ ଦେଇଥିଲେ । ତେବେ ଏହି ଘଟଣାରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ରହିଥିବାରୁ ଏସ୍ଆଇଟି ଏହାର ତଦନ୍ତ କରିବାକୁ ଅକ୍ଷମ ବୋଲି ହାଇକୋର୍ଟରେ ରୁଜୁ ମାମଲାରେ ସୌଦାମିନୀ ଦର୍ଶାଇଥିଲେ । ଅନ୍ୟପକ୍ଷରେ ପରୀ ହତ୍ୟା ମାମଲାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟରେ ଆବେଦନକାରୀ ସୁରେନ୍ଦ୍ର ପାଣିଗ୍ରାହୀ ଓ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ଆବେଦନ କରାଯାଇଥିଲା ।
ଗତ ଜାନୁୟାରୀ ୧୨ତାରିଖରେ ହାଇକୋର୍ଟ ଏହାର ଶୁଣାଣି କରି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟରେ ମଧ୍ୟ ଏସ୍ଆଇଟି ପକ୍ଷରୁ ୩ଟି ରିପୋର୍ଟ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାରେ ହାଇକୋର୍ଟରେ ପୁଣି ଏକ ମିସ୍କେଶ୍ ଦାଖଲ କରାଯାଇଥିଲା । ଏଥିରେ ଗିରଫ ନାବାଳକକୁ ସାବାଳକ ଦର୍ଶାଇ ଗିରଫ କରିଥିବା ତତ୍କାଳୀନ ଏସ୍ଆଇଟି ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଥିଲା । ସେହିପରି ପରୀ ହତ୍ୟା ମାମଲାରେ ଏସ୍ଆଇଟି ନାବାଳକକୁ ରାଜନୈତିକ ନେତାଙ୍କ ଆଦେଶ ଅନୁସାରେ ଗିରଫ କରିଛି ବୋଲି ଦର୍ଶାଯାଇଥିଲା ।
ହାଇକୋର୍ଟରେ ମାମଲା ବିଚାରଧିନ ଥିବାବେଳେ ମୃତ ପରୀର ମାଆ ସୌଦାମିନୀ ସାହୁଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା । ରୁଜୁ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟର ବିଚାରପତି ଏ.ଏମ୍. ଖାନ୍ଓ୍ିଲ୍କର୍ ଓ ବିଚାରପତି ସଞ୍ଜୟ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ଗିରଫ ନାବାଳକ ଜଣକ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।