19.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗପରୀ ହତ୍ୟା ମାମଲା: କ୍ରାଇମ ସିନ୍ ରିକ୍ରିଏଟ କଲା ଏସଆଇଟି

ପରୀ ହତ୍ୟା ମାମଲା: କ୍ରାଇମ ସିନ୍ ରିକ୍ରିଏଟ କଲା ଏସଆଇଟି

ଭୁୁବନେଶ୍ୱର: ପରୀ ହତ୍ୟା ମାମଲାରେ ଆଜି କ୍ରାଇମ ସିନ୍ ରିକ୍ରିଏସନ କରିଛି ଏସଆଇଟି । ଘଟଣାସ୍ଥଳରେ ଅଭିଯୁକ୍ତ ସରୋଜ ସେଠୀ ମଧ୍ୟ ଉପସ୍ଥିତ ରହିଥିଲା । ସେ କିଭଳି ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ତାହା ମଧ୍ୟ ଦେଖାଇଛି । ପୋଖରୀ ହୁଡାରେ ସରୋଜ ଏହାର ଡେମୋ ଦେଖାଇଛି । ପରୀର ମୃତଦେହକୁ ସେ କିପରି ଫୋପାଡିଥିଲା । ମୃତଦେହ କିପରି  ଅଖାରେ ଭର୍ତ୍ତି କରି ଫୋପାଡିଥିଲା ତାହା ମଧ୍ୟ ବର୍ଣ୍ଣନା କରିଛି । ମୃତଦେହ ଉପରେ କେମିତି ଘୋଡାଇଥିଲା ନଡିଆ ବାହୁଙ୍ଗା ତାହା ବି କହିଛି ସରୋଜ । ଦୁଷ୍କର୍ମ ଉଦ୍ୟମ କରିଥିବା ଘରେ ମଧ୍ୟ ଡେମୋ ଦେଖାଇଛି । ତମାମ ହତ୍ୟା ଓ ଦୁଷ୍କର୍ମ ଘଟଣାର ଛାତିଥରା ଦୃଶ୍ୟ ବଖାଣିଛି ।
ଏହି ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବଡ ସୂଚନା ପ୍ରଦାନ କରିଛନ୍ତି । ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନରେ ବୋଥ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି, ପରୀର କୌଣସି ହାଡ ଗାଏବ ହୋଇନି । ପୋଷ୍ଟମଟର୍ମ ରିପୋର୍ଟରେ କୌଣସି ହାଡ ମିଳିନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମାନେ ହାଡ ମିଳିନଥିବା ନେଇ କିଛି କହିନାହାନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ କରିବା ପାଇଁ ଡାକ୍ତରମାନେ କିଛି ହାଡ ପଠାଇଥିଲେ । ଡଗ୍ ସ୍କ୍ୱାଡ କାହିଁକି ଗନ୍ଧ ବାରି ପାରିଲାନି ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଡଗ୍ ସ୍କ୍ୱାଡ ଏସଆଇଟି ବ୍ୟବହାର କରିନାହିଁ । ଡଗ୍ ସ୍କ୍ୱାଡ ବିଷୟରେ ପଚାରିଲେ ମୁଁ କିଛି କହିପାରିବିନି । ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି ସେ କହିଛନ୍ତି । ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା । ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି । ଘଟଣା ପରେ ଗାମୁଛାକୁ ସାବୁନରେ ଅନେକ ଥର ଧୁଆଯାଇଛି । ମାତ୍ର ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ । ଆମେ ଉକ୍ତ ଗାମୁଛାକୁ ଟେଷ୍ଟିଂ ଲ୍ୟାବକୁ ପଠାଇଛୁ । ପୋଖରୀରୁ ମିଳିଥିବା ଲେଗିନ୍ସ ମଧ୍ୟ ଟେଷ୍ଟିଂ ଲ୍ୟାବ୍ ପଠାଯାଇଛି । ଲେଗିନ୍ସରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ । ଉଭୟ ଗାମୁଛା ଏବଂ ଲେଗିନ୍ସ ଆମକୁ ବଡ ସହାୟତା ଦେବ । ତେବେ ସରୋଜର ପରିବାର କେହି ସଦସ୍ୟ ଘଟଣା ଜାଣିଥିବା କହିଛନ୍ତି ଅରୁଣ ବୋଥ୍ରା । ପରିବାରର କେହି ନା କେହି ଏକଥା ଜାଣିଛନ୍ତି  , ଆମେ ତଦନ୍ତ କରୁଛୁ । ପରିବାର ଲୋକ କେବେ ଏକଥା ଜାଣିଲେ ସେ ତଦନ୍ତ ଚାଲିଛି । ସରୋଜ ପୋଲିସର ତଦନ୍ତକୁ ଟ୍ରାକିଂ କରୁଥିଲା ବୋଲି ବୋଥ୍ରା କହିଛନ୍ତି । ଏମିତିକି ମୋ ବିଷୟରେ ସେ ଗୁଗୁଲରୁ ବହୁତ୍ ତଥ୍ୟ ସଂଗ୍ରହ କରିଥିଲା । ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା ଠାରୁ ବେଶୀ ସେ ମୋ କଥା ଜାଣିଥିଲା ବୋଲି ବୋଥ୍ରା କହିଛନ୍ତି । ଏମିତିକି ସେ ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ଦେଖୁଥିଲା । ରିମାଣ୍ଡରେ ସରୋଜର ବ୍ୟବହାର ନେଇ ବୋଥ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ସରୋଜ କେତେବେଳେ ରାଗୁଛି ତ ପୁଣି କେବେ ସ୍ୱାଭାବିକ ରହୁଛି ।

ଏହାକୁ ନେଇ ସରୋଜଙ୍କ ମା କହିଛନ୍ତି, ମୋ ପୁଅ ନିର୍ଦ୍ଦୋଷ, ସେ କିଛି କରିନାହିଁ  । ସରୋଜ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଖେଦେ କି ନାହିଁ ପ୍ରଶ୍ନର ଉତ୍ତରରେ ତାଙ୍କ ମା କହିଛନ୍ତି, ଝିଅ ମୋବାଇଲରେ ସେ କେତେବେଳେ କେମିତି ଦେଖିଦିଏ । ଯେବେ ବି ମୋବାଇଲ ଖେଦେ, କେବଳ ଭଜନ ଟିକେ ଦେଖେ ।

ଅନ୍ୟପଟେ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ହାଇକୋର୍ଟ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହି ମାମଲାକୁ ଦୀର୍ଘଦିନ ବିତିଥିବାରୁ ଚାର୍ଜସିଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ ହୋଇଛି । ମନ୍ତ୍ରୀ ଓ ଏସଆଇଟି ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବା ନେଇ  ଆବେଦନ କରାଯାଇଛି । ଆସନ୍ତା ଜାନୁୟାରୀ ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking