ପାରଳାଖେମୁଣ୍ଡି : ପାରମ୍ପରିକ ଫୁଲଝାଡୁ ଚାଷକୁ ଆଦିବାସୀଙ୍କ ମନବଳୁନି । ବିକ୍ରିବଟାର ସୁବିଧା ନଥିବାରୁ ଖଟଣି ଯେତିକି ତା’ଠାରୁ କମ୍ ପାରିଶ୍ରମିକ ମିଳୁଥିବା ଆଦିବାସୀଙ୍କୁ ଏହି ଚାଷ ପ୍ରତି ବିମୁଖତା ଆଣିଛି । ତେଣୁ ଆଦିବାସୀମାନେ ଏବେ କାଜୁ ଚାଷ ପ୍ରତି ମନବଳାଇଛନ୍ତି ।
ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ କରି ଆଦିବାସୀଙ୍କ ପାଇଁ କୁଢ଼ କୁଢ଼ ଯୋଜନା କରିଛନ୍ତି । ଆଦିବାସୀଙ୍କ ଆର୍ôଥକ ଓ ସାମାଜିକ ବିକାଶ ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ବି ରହିଛି । ତୃଣମୂଳସ୍ତରରେ ଏହି ଯୋଜନା ପହଞ୍ôଚ ପାରୁନଥିବାରୁ ପରମ୍ପରାକୁ ଜାବୁଡ଼ି ଧରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ସେମାନଙ୍କ ସଂଗ୍ରାମ ଜାରି ରହିଛି । ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ଗଜପତି ଜିଲ୍ଲାର ଆଦିବାସୀଙ୍କ ପୁଲଝାଡ଼ୁ ଚାଷ ସ୍ୱାବଲମ୍ବନର ଏକ ମାଧ୍ୟମ ପାଲଟିଛି ।
ଆଦିବାସୀମାନେ ପାରମ୍ପାରିକ ଚାଷ ଭାବେ ଏକର ଏକର ଯାଗାରେ ଫୁଲଝାଡୁ ଚାଷ କରି ଆସୁଛନ୍ତି । ଗଜପତି ଜିଲ୍ଲାର ନୂଆଗଡ ବ୍ଲକ, ରାମଗିରି, ଆର୍.ଉଦୟଗିରି ଓ ସୀମାନ୍ତବର୍ତ୍ତୀ ତପ୍ତପାଣି ଅଞ୍ଚଳରେ ଫୁଲଝାଡୁ ଚାଷ ପ୍ରବଳ ହେଉଛି । ଏହି ଫସଲ ଶୀତଳ ଜଳବାୟୁରେ ହେଉଥିବା ବେଳେ ମୁଖ୍ୟତଃ ଘରର ପ୍ରଥମ ଉପକରଣ ଭାବେ ଏହାକୁ ବିବେଚନା କରାଯାଇଥାଏ । ଘାସଜାତୀୟ ଏହି ଫସଲ ପାଇଁ କୌଣସି ଜଳ ଯୋଗାଣ ବ୍ୟବସ୍ଥା କିମ୍ବା ରସାୟନିକ ସାର ବ୍ୟବହାର କରାଯାଉ ନଥିବା ବେଳେ ଆର୍ଦ୍ରତା ଭୂମିରେ ଉକ୍ତ ଚାଷ ହୋଇଥାଏ । ଆଦିବାସୀମାନେ ଏପ୍ରିଲ ମାସରେ ଜମିକୁ ସଫା କରି ଚାଷ କରିଥାନ୍ତି ଏବଂ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅମଳ କରିଥାନ୍ତି । ଦିନ ଥିଲା ଅଞ୍ଚଳର ଝରଣା ତଟ କିମ୍ବା ବଗଡରେ ଏହି ଚାଷ ପାହାଡ ଇଲାକାରେ କରାଯାଉଥିଲା । ହେଲେ ଉତ୍ପାଦିତ ଫସଲର ଉପଯୁକ୍ତ ବଜାର ସୁବିଧା ନମିଳିବା ଯୋଗୁଁ ଖଟଣୀ ଠାରୁ କମ୍ ଦରରେ ବିକି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
ଫଳରେ କ୍ରମଶଃ ଏହି ଚାଷରୁ ମୁହଁ ଫେରାଉଥିବା କହିଛନ୍ତି ଆଦିବାସୀ ଫୁଲଝାଡୁ ଚାଷୀ ସଞ୍ଜୁଲତା ନାୟକ ପ୍ରମୁଖ । ଶୀତଳ ଜଳବାୟୁରେ କରାଯାଉଥିବା ଫୁଲଝାଡୁ ଚାଷ ସବୁଜ ପରିବେଶ ସନ୍ତୁଳନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । କିନ୍ତୁ ବାରମ୍ବାର ଫୁଲଝାଡୁ ଚାଷ କରି କ୍ଷତି ସହୁଥିବା ହେତୁ ବର୍ତ୍ତମାନ ଅନେକ ଚାଷୀ ଅର୍ଥକରୀ ଫସଲ କାଜୁ ଚାଷକୁ ଆପଣେଇଛନ୍ତି । ଅପରପକ୍ଷେ ନୂଆଗଡ ବ୍ଲକରେ ଦୁଇ ବର୍ଷ ତଳେ ଆଇଟିଡିଏ ଆନୁକୁଲ୍ୟରେ ଓରମାସ ତରଫରୁ ଫୁଲଝାଡୁ ଚାଷ ପାଇଁ ପ୍ର୍ରୋତ୍ସାହନ ଓ ତାଲିମ ଦିଆଯାଇଥିଲା । ଅନେକ ମହିଳା ସଂଗଠନ ଏବାବଦରେ ବେଶ ଲାଭବାନ ହୋଇଥିଲେ । କିନ୍ତୁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଫୁଲଝାଡୁ ଚାଷ ଛାଡିଦେଉଥିବା ପ୍ରକାଶ କରିଛନ୍ତି ନୂଆଗଡ ବ୍ଲକ ଓଡିଶା ଜୀବିକା ମିଶନର ବ୍ଲକର ପ୍ରକଳ୍ପ ପରିଚାଳନା ଅଧିକାରୀ ପ୍ରଦୀପ୍ତ କୁମାର ସନେ । ଅନ୍ୟପକ୍ଷରେ ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ପ୍ରୋତ୍ସାହନ ଦେଉଥିବା କଥା କହୁଛନ୍ତି । ସେମାନଙ୍କୁ ବେପାର କରିବାପାଇଁ ପରାମର୍ଶ ଦେଉଛନ୍ତି । ହେଲେ ପ୍ରକୃତ ପକ୍ଷେ ଏହା ହେଉନାହିଁ ।
କେବଳ ବୈଠକ, ଯୋଜନା ଆଦି ମାଧ୍ୟମରେ ହିଁ ସୀମିତ ରହିଯାଉଛି । ଏଥି ପୂର୍ବରୁ ଓରମାସ କିମ୍ବା ଓଡିଶା ଜିବୀକା ମିଶନ ଜିଲ୍ଲାରେ ସକ୍ରିୟ ରହି କାର୍ଯ୍ୟ ନିର୍ବାହ ହେଉଥିଲେ ମଧ୍ୟ ବର୍ତ୍ତମାନ ଏହି ବିଭାଗଗୁଡିକ ନିଷ୍କ୍ରିୟ ହୋଇଯାଇଥିବାର ଲକ୍ଷ୍ୟ କରାଯାଉଛି । କିନ୍ତୁ ପୂର୍ବରୁ ପ୍ରଡ୍ୟୁସର ଗ୍ରୁପ ଗଠନ କରାଯାଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ରପ୍ତାନୀ ମଧ୍ୟ ହେଉଥିଲା । ବର୍ତ୍ତମ।।ନ ତାହା ଏକ ପ୍ରକାର ସ୍ଥାଣୁ ପାଲଟିଛି । ଏହି ପାରମ୍ପରିକ ଚାଷ ହେଉ କିମ୍ବା କୌଣସି ସାମଗ୍ରୀ ଉତ୍ପାଦନ କରୁଥିବା ଗ୍ରୁପଗୁଡିକ ପ୍ରତି ପ୍ରଶାସନିକ ଦୃଷ୍ଟି ପଡିଲେ ସଫଳତା ଆସିବ ବୋଲି ସେମାନେ କହିଛନ୍ତି । ନଚେତ ଏହି ଚାଷ ଆଗାମୀ ଦିନରେ ଲୋପ ହେବ । ଫୁଲ ଝାଡ଼ୁ ଆଉ ଦେଖିବାକୁ ମିଳିବନି ଏହା ନିସନ୍ଦେହରେ କୁହା ଯାଇପାରେ ।