ଭୁବନେଶ୍ବର : ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ସମାପ୍ତ ହୋଇଛି । ସେହିପରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଘଟିଥିବାରୁ ବୁଧବାର ୪୯ଟି ବୁଥ୍ରେ ସାନି ମତଦାନ କରାଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଜାରି ରହିବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର ୯ ଜିଲ୍ଲା ମଧ୍ୟରୁ ଯାଜପୁରରେ ସର୍ବାଧିକ ୨୧ଟି ସ୍ଥାନରେ ସାନି ଭୋଟ ହେବାକୁ ଥବାବେଳେ, ଭଦ୍ରକର ୬ଟି, ପୁରୀର ୫ଟି, ଢ଼େଙ୍କାନାଳରେ ୪ଟି, ଜଗତସିଂହପୁରର ୩ଟି, ମୟୂରଭଞ୍ଜରେ ୩ଟି ଏବଂ ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ଜାଗାରେ ହେବ ସାନି ମତଦାନ । ଅତିସମ୍ବେଦନ ଶିଳ ବୁଥ ହୋଇଥିବାରୁ ଭିଡିଓ ଗ୍ରାଫି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସାନି ମତଦାନ ପାଇଁ ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
କିଭଳି ଭୋଟ ମତଦାନ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାନି ମତଦାନ କେନ୍ଦ୍ର ପାଇଁ ଗୋଟିଏ ଲେଖାଏଁ ମୋବାଇଲ୍ ପେଟ୍ରୋଲିଂ ଗାଡ଼ି ବ୍ୟବସ୍ଥା ହୋଇଛି । କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପହଂଚିବା ପାଇଁ ଷ୍ଟ୍ରାଇକିଂ ଫୋସ୍ ସହିତ ଥାନା ଷ୍ଟାଫ୍ ସତର୍କ ରହିବେ । କ୍ଲଷ୍ଟର ବୁଥ୍ ମାନଙ୍କରେ ଅଧିକ ପୁଲିସ କର୍ମଚାରୀ ସହିତ ଆର୍ମଡ ଫୋର୍ସ ମୁତୟନ ରହିବେ । ଏଥିସହିତ ସେକ୍ଟର ଅଫିସର ଓ ସୁପରଭାଇଜିଂ ଅଫିସର ସତର୍କ ଦୃଷ୍ଟି ରଖିବା ବ୍ୟବସ୍ଥା ହୋଇଛି । ଏ ନିର୍ବାଚନ ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ଓ ପ୍ରଶାସନ ପ୍ରସ୍ତୁତ ରହିଛି।