ନୂଆଦିଲ୍ଲୀ : ଆସନ୍ତା ୨୧ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରେ ସାଫ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଖେଳାଯିବ । ଏଥିରେ ଭାଗ ନେବା ସକାଶେ ପାକିସ୍ତାନ ଟିମ୍କୁ ଅନୁମତି ମିଳିଥିବା ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ସୂଚନା ଦିଆଯାଇଛି । ମହାସଚିବ ଶାଜି ପ୍ରଭାକରନ୍ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ୍ରେ ଯୋଗ ଦେବା ସକାଶେ ୮ଟି ଟିମ୍ ମଧ୍ୟରୁ ଅନ୍ୟତମ ପାକିସ୍ତାନକୁ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର, ବୈଦେଶିକ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭିସା କ୍ଲିୟରାନ୍ସ ଦିଆଯାଇଛି । ଏବେ ଏ ଦିଗରେ ପାକିସ୍ତାନ ଟିମ୍କୁ ତା’ର ଔପଚାରିକତା ପୂରଣ କରିବାକୁ ପଡ଼ିବ ।
ସୂଚନାଯୋଗ୍ୟ ଯେ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ରହିଥିବା ବେଳେ ଉଦ୍ଘାଟନୀ ଦିବସରେ ସେମାନଙ୍କ ମଧ୍ୟରେ ମୁକାବିଲା ହେବ । ଏଥିସହ ୫ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ପରସ୍ପରକୁ ବିପକ୍ଷରେ ଖେଳିବେ । ଶେଷ ଥର ପାଇଁ ଭାରତ ଓ ପାକିସ୍ତାନ ଗତ ୨୦୧୮ ସାଫ୍ ଚାମ୍ପିଅନ୍ଶିପ୍ ସେମିଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ଆଗାମୀ ସାଫ୍ ଚାମ୍ପିଅନ୍ଶିପ୍ରେ ଭାରତ ଓ ପାକିସ୍ତାନ ବ୍ୟତୀତ ଲେବାନନ୍, କୁଏତ୍, ନେପାଳ, ଭୁଟାନ୍, ବାଂଲାଦେଶ ଓ ମାଳଦ୍ୱୀପ ଅଂଶଗ୍ରହଣ କରିବେ ।