ନୂଆଦିଲ୍ଲୀ : ବିଶ୍ୱକପର ଅଭ୍ୟାସ ମ୍ୟାଚ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବତନ ଚମ୍ପିଆନ୍ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଛନ୍ତି। ରାସି ଭାନ୍ ଡର ଡ୍ୟୁସେନ୍ଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ସହଜରେ ୫୬ ରନ୍ରେ ଆଫ୍ଗାନିସ୍ତାନ ପରାସ୍ତ କରିଛି ।
ପାକିସ୍ତାନକୁ ରୋମାଞ୍ଚକର ମ୍ୟାଚ୍ରେ ଅନ୍ତିମ ବଲ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଫଖର ଜମାନ୍ଙ୍କ ୫୨ ରନ୍ ବଳରେ ପାକିସ୍ତାନ ୬ ୱିକେଟରେ ୧୮୬ ରନ୍ କରିଥିଲା। ପରେ ରାସି ଭାନ୍ ଡର ଡ୍ୟୁସେନ୍ଙ୍କ ଅପରାଜିତ ଶତକ ବଳରେ ଶେଷ ବଲ୍ରେ ୪ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଖର ଜମାନ୍ ୨୮ ବଲ୍ରୁ ୫ଟି ଛକା ଓ ୨ଟି ଚୌକା ସହ ୫୨ ରନ୍କରି ରିଟାୟର୍ଡ ଆଉଟ୍ ହୋଇଥିଲେ। କାଗିସୋ ରାବାଡା ୨ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ୧୫ ରନ୍ରେ ୨ଟି ୱିକେଟ ହରାଇଥିଲା। ରାସି ଭାନ୍ ଡର ଡ୍ୟୁସେନ୍ ଓ ଅଧିନାୟକ ତେମ୍ବା ବାଭୁମା ୧୨ ଓଭରରେ ୧୦୭ ରନ୍ ଯୋଡ଼ିଥିଲେ। ବାଭୁମା ୪୨ ବ୍ଲରୁ ୪୬ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ଶେଷ ଓଭରରେ ୧୯ ରନ୍ ଆବଶ୍ୟକ କରୁଥିବା ବେଳେ ଏହି ଓଭରରେ ୨ଟି ଲେଖାଏଁ ଛକା ଓ ଚୌକା ହୋଇଥିଲା। ଭାନ୍ ଡର ଡ୍ୟୁସେନ୍ ୫୧ ବଲ୍ରୁ ୪ଟି ଛକା ଓ ୧୦ଟି ଚୌକା ସହ ୧୦୧ ରନ୍କରି ଅପରାଜିତ ଥିଲେ। ଅନ୍ୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୫୬ ରନ୍ରେ ଆଫ୍ଗାନିସ୍ତାନ ପରାସ୍ତ କରିଛି। ଆଫଗାନିସ୍ତାନ ୫ ୱିକେଟରେ ୧୮୯ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ୧୩୩ ରନ୍ କରି ପାରିଥିଲା। ଆଫ୍ଗାନିସ୍ତାନର ହଜ୍ରତୁଲ୍ଲା ଜାଜାଇ ୩୫ ବଲ୍ରୁ ୨ଟି ଛକା ଓ ୮ଟି ଚୌକା ସହ ୫୮, ମହମ୍ମଦ ସେହ୍ଜାଦ ୩୫ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୪, ରହମତୁଲ୍ଲା ଗୁରବାଜ୍ ୨୬ ବଲ୍ରୁ ୩୩ ଓ ନଜିବୁଲ୍ଲା ଜାଦ୍ରାନ୍ ୧୯ ବଲ୍ରୁ ୨୩ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ର ରୋଷ୍ଟନ୍ ଚେଜ୍ ୫୮ ବଲ୍ରୁ ୫୪ ରନ୍କରି ଅପରାଜିତ ଥିବା ବେଳେ ନିକୋଲାସ୍ ପୁରନ୍ ୨୬ ବଲ୍ରୁ ୩୫ ରନ୍ କରିଥିଲେ। ମହମ୍ମଦ ନବି ୩ଟି ୱିକେଟ ପାଇଥିଲେ।