ବଲାଙ୍ଗିର: ଡାଲିରୁ ବାହାରିଲା ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ । ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ହଷ୍ଟେଲରେ ୨୦ ଜଣ ଛାତ୍ର ରାତ୍ର ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ରାତିରେ ଅନେକ ଛାତ୍ରଙ୍କ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା। ହେଲେ ଛାତ୍ରମାନଙ୍କୁ ରାତିରେ ହଷ୍ଟେଲ ଇନଚାର୍ଜ ମେଡିକାଲ ଆଣିନଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଦେହ ଅଧିକ ଖରାପ ହେବାରୁ ୨୦ ଛାତ୍ରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ରାତ୍ର ଭୋଜନ କରୁଥିଲେ। ଏହି ସମୟରେ ଦେବେହରି ଛତ୍ରିଆ ନାମକ ଜଣେ ଛାତ୍ର ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ। ଏନେଇ ହଷ୍ଟେଲ ଇନଚାର୍ଜ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପିଲାମାନେ ଜଣାଇଯାଇଥିଲା। ହଷ୍ଟେଲ ଇନଜାର୍ଜ ହସ୍ତକ୍ଷେପ ପରେ ଝିଟିପିଟି ପଡ଼ିଥିବା ଡାଲିକୁ ଫୋପଡ଼ି ଦିଆଯାଇଥିଲା।କୌଣସି ଛାତ୍ରଙ୍କ ଅବସ୍ଥା ଗୁରୁତର ନଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରାଯିବା ସହ ରୋଷୋୟା ମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ହଷ୍ଟେଲ ଇନଚାର୍ଜ ବିଦୁଭୂଷଣ କର କହିଛନ୍ତି।