ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ସମ୍ବଲପୁର, ନୂଆପଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ସାମିଲ ରହିଛି । ଅନୁଗୁଳ ଓ ବୌଦ୍ଧର କିଛି ସ୍ଥାନରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି ।
ଅନ୍ୟପଟେ ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇବ ଗ୍ରୀଷ୍ମ ପ୍ରବାହ । ଗତ ଦୁଇ ଦିନ ଧରି ଓଡିଶା, ଆନ୍ଧ୍ର ଆଦିରେ ପ୍ରବଳ ତାତି ହେଉଛି । ସମୁଦ୍ରରେ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢୁଛି । ଗତ ୨ ଦିନ ଭଳି ଆଜି ବି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବା ସମ୍ଭାବନା ରହିଛି । କାଲିଠାରୁ କାଳ ବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିବ । ଚଳିତ ଏପ୍ରିଲ, ମେ, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା, ବାରମ୍ବାରତା ଅଧିକ ହେବ । ଗ୍ରୀଷ୍ମପ୍ରବାହ ପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେ ଏତେ ମାତ୍ରାରେ ଖରା ହେଉଛି ଯେ, ଦିନ ୧୦ଟା ବେଳକୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।