ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ନିଶା କାରବାର ବିରୋଧରେ ବିଭିନ୍ନ ଥାନାସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ୱତନ୍ତ୍ର ରୂପେ ଗଠିତ ଅପରେସନ ହ୍ୱାଇଟ ସ୍ପାଇଡର, ପିଓପିଡି ଏବଂ ଟିମ୍-୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ଗତ ଫେବୃୟାରୀ ମାସ ମାସରେ ୮ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ମାମଲାରେ ରୁଜୁ କରାଯାଇଛି ।
ଏଥିରେ ମୋଟ ୧୪ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ସର୍ବମୋଟ୍ ୮୫ଗ୍ରାମ ୬୬ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି । ନିଶା ବ୍ୟବସାୟୀଙ୍କ ଠାରୁ ୪୮୫୦ଟଙ୍କା ଜବତ କରାଯାଇଥିଲା । ସେହିପରି ୪ଟି ମୋବାଇଲ ଫୋନ, ୩ଟି ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇ ପାରିଛି । ସେହିଭଳି ଭାବେ ଚଳିତ ବର୍ଷ ଫେବୃୟାରୀ ମାସ ୧ ତାରିଖରୁ ୨୮ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ୮ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇଛି । ଗଞ୍ଜେଇ କାରବାର ଅଭିଯୋଗରେ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୩ କୁଇଣ୍ଟାଲ ୧୧କେଜି ୨୪୦ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି । ନିଶା ଦ୍ରବ୍ୟ ବିକ୍ରୟ ଜନିତ ମୋଟ ୨୯୩୯୦ ଟଙ୍କା ଟଙ୍କା ଜବତ କରାଯାଇଛି । ଏହାସହ ୭ଟି ମୋବାଇଲ ଫୋନ ଏବଂ ୪ଟି ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇ ପାରିଛି ।
ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଥିବା ବିଭିନ୍ନ ଥାନାରେ ଗତ ଜାନୁୟାରୀ ମାସ ୧ ତାରିଖରୁ ଫେବୃୟାରୀ ମାସ ୨୮ ତାରିଖ ମଧ୍ୟରେ ମୋଟ ୧୪ଟି ବେଆଇନ ବ୍ରାଉନସୁଗର ବିକ୍ରି ମାମଲା ରୁଜୁ ହୋଇ ୨୭ଜଣ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ମୋଟ ୧୯୨ଗ୍ରାମ ୧୬ମିଲିଗ୍ରାମ ଓଜନର ବ୍ରାଉନସୁଗାର, ବିକ୍ରି ଜନିତ ଆୟ ମୋଟ ୧୫,୮୧୫ଟଙ୍କା, ୯ଟି ଦୁଇ ଚକିଆ ଯାନ ଏବଂ ୧୩ଟି ମୋବାଇଲ ଫୋନ ଜବତ କରାଯାଇପାରିଛି । ସେହିପରି ଗତ ଜାନୁୟାରୀ ଏବଂ ଫେବୃୟାରୀ ମାସ ମଧ୍ୟରେ ୧୧ଟି ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୨୧ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।
ସେମାନଙ୍କ ନିକଟରୁ ମୋଟ ୪କୁଇଣ୍ଟାଲ ୫୩କେଜି ୨୨୦ଗ୍ରାମ ଓଜନର ଗଞ୍ଜେଇ, ୩୧,୮୪୦ଟଙ୍କା, ୦୬ଟି ଦୁଇ/ଚାରି ଚକିଆ ଯାନ, ଏବଂ ୦୭ଟି ମୋବାଇଲ ଫୋନ ଜବତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ଜାନୁଆରୀ ମାସ ୧ତାରିଖ ରୁ ଫେବୃୟାରୀ ମାସ ୨୮ତାରିଖ ମଧ୍ୟରେ ଉଭୟ ବେଆଇନ ବ୍ରାଉନ ସୁଗାର ଓ ଗଞ୍ଜେଇ ବିକ୍ରି ଜନିତ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୪୮ଜଣ ନିଶା ବେପାରୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ନିଶା କାରବାର ବିରୋଧୀ ଅଭିଯାନ ଆଗକୁ ମଧ୍ୟ କଡାକଡି ଭାବେ ଜାରି ରହିବା ନେଇ ସୂଚନା ହସ୍ତଗତ ହୋଇଛି ।