ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ଓମିକ୍ରନ ମହାମାରୀ କିଛି ଦିନ ହେଲା ଦେଖାଦେଇଥିବା ଜଣାପଡ଼ିଛି । ଏହି ଖବର ପ୍ରଚାର ହେବା ପରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ହାଇଆଲର୍ଟରେ ଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ଆତଙ୍କିତ ନ ହୋଇ ନିୟମିତ ମାସ୍କପରିଧାନ କରିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ସୁରକ୍ଷା ରକ୍ଷା କରିବା ପାଇଁ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହାସହ ସେ ଆହୁରି ସୂଚନା ଦେଇଛନ୍ତି ଯେ, ଗଜପତି ଜିଲ୍ଲା ଅଞ୍ଚଳର ବହୁ ଲୋକେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହର ଠାରେ ରହୁଛନ୍ତି । ଆଗକୁ ବଡ ଦିନ ଓ ନୂତନ ବର୍ଷ ଉତ୍ସବ ଉଦ୍ଦେଶ୍ୟରେ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଜିଲ୍ଲା ମଧ୍ୟକୁ ଆସିବେ ।
ତେଣୁ ନାକା ପଏଣ୍ଟ ଗୁଡିକ ଠାରେ କୋଭିଡ ପରୀକ୍ଷଣ କରାଯାଉଛି ଏବଂ ଏହାକୁ ଆହୁରି ଜୋରଦାର କରାଯିବ । ଏହାସହ ଜିଲ୍ଲାରେ ଦୈନିକ ୧୦ହଜାରରୁ ଊର୍ଦ୍ଧ୍ୱ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇ ଟିକାକରଣ କରାଯାଉଛି । ହେଲେ ବର୍ଡର ବା ସୀମାଗୁଡିକୁ ସିଲ୍ କରାଯାଇନାହିଁ ବୋଲି ଭିଡିଓ ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ପଡ଼ୋଶୀ ଆନ୍ଧ୍ର ତଥା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲାରେ ଏହି ଓମିକ୍ରନ ଚିହ୍ନଟ ପରେ ସାଧାରଣରେ ଆତଙ୍କ ଦେଖାଦେଇଛି । କେରଳ, ଚଣ୍ଡିଗଡ, ମହାରାଷ୍ଟ୍ର ଆଦି ରାଜ୍ୟ ପରେ ପଡୋଶୀ ତଥା ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ଓମିକ୍ରନ ରୋଗୀ ଚିହ୍ନଟ ପରେ ଗଜପତି ଜିଲ୍ଲାବାସୀ ଆତଙ୍କିତ ହେବା ସହ ହଠାତ୍ ଏହି ମହାମାରୀ କେଉଁ ପରିସ୍ଥିତି ସୃଷ୍ଟି କରିବ ସେ ନେଇ ଚିନ୍ତିତ ରହିଛନ୍ତି ।
କାରଣ ଗଜପତି ଜିଲ୍ଲାରୁ ଦୈନନ୍ଦିନ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ଷୀର, ଅଣ୍ଡା, ମାଛ, କେତେକ ଖବରକାଗଜ, ପନିପରିବା, ଛତୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ଆସିଥାଏ । ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଯିବା ଆସିବା ଦୈନନ୍ଦିନ ଲାଗି ରହିଥାଏ । ବିଶେଷ କରି ଶିକ୍ଷା ନିମନ୍ତେ ମଧ୍ୟ ଛାତ୍ରୀଛାତ୍ର ତଥା ଜନସାଧାରଣ ଯାତାୟତ କରନ୍ତି । ମେଡିକାଲ କାର୍ଯ୍ୟରେ ଦୈନିକ ଆନ୍ଧ୍ରର ଶ୍ରୀକାକୁଲମ ଓ ବିଶାଖାପାଟଣା ସହର ମୁଖ୍ୟ ଭରସା ଅଟେ ।
ଏଣୁ ସଦାସର୍ବଦା ଗଜପତିବାସୀ ଶ୍ରୀକାକୁଲମ ଓ ବିଶାଖାପାଟଣା ସହର ଉପରେ ଭରସା କରିଥାନ୍ତି । ବର୍ତ୍ତମାନ ଶ୍ରୀକାକୁଲମ ଜିଲ୍ଲାର ଗୋଟିଏ ସ୍କୁଲରେ ମଧ୍ୟ କରୋନା ପଜିଟିଭ ଦେଖାଦେଇଛି । ଦୈନିକ ଆନ୍ଧ୍ରରୁ ବସ୍ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଛି । ଏହାସହ ବିଭିନ୍ନ ପରିବହନ ଗାଡ଼ିଗୁଡିକୁ ଦୈନିକ ଶତାଧିକ ଆସୁଛି । ସାମଗ୍ରୀକ ଭାବେ ଅନୁଧ୍ୟାନ କଲେ ଏହି ନୂତନ ଭାରିଏଣ୍ଟ ଓମିକ୍ରନ ସୀମାନ୍ତ ଅଞ୍ଚଳ ଗ୍ରାମରେ ସହଜରେ ବ୍ୟାପିବା ନେଇ ଆଶଙ୍କାରେ ସୀମାନ୍ତ ଗଜପତିବାସୀ ଆତଙ୍କିତ ହୋଇପଡିଛନ୍ତି ।