ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଟିକିରାପଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଦିବ୍ୟାଙ୍ଗ ବୃଦ୍ଧା ଜୀବନ୍ତ ଦଗ୍ଧ । ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ସହିତ ଜଳିଗଲେ ବୃଦ୍ଧା । ମୃତକ ହେଉଛନ୍ତି ୬୦ ବର୍ଷୀୟ ବୃଦ୍ଧା ସୂର୍ଯ୍ୟକାନ୍ତି ସାହୁ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବୃଦ୍ଧା ଜଣକ ନିଜ ଘରେ ଶୋଇଥିବା ବେଳେ କୌଣସି କାରଣ ବଶତଃ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ବୃଦ୍ଧା ଜଣକ ଘରେ ହିଁ ଜୀବନ ଦଗ୍ଧ ହୋଇଯାଇଛନ୍ତି । ତାଙ୍କ ପାଟି ଶୁଣି ଗ୍ରାମବାସୀ ଏକତ୍ରିତ ହୋଇ ତୁରନ୍ତ ବାଉଁଶୁଣୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ବୃଦ୍ଧାଙ୍କର ମୃତ୍ୟୁ ଘଟିସାରିଥିଲା । ବାଉଁଶୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ନା କେଉଁ କାରଣରୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଏବେ ଗଭୀର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।










