22.1 C
Bhubaneswar
Thursday, January 9, 2025
Homeଓଡିଶାଆନ୍ଧ୍ର କର୍ମଚାରୀଙ୍କୁ ଓଡ଼ିଶା ପୋଲିସର ଚେତାବନୀ, ପୁଣି ଆସିଲେ ପିଟିବୁ

ଆନ୍ଧ୍ର କର୍ମଚାରୀଙ୍କୁ ଓଡ଼ିଶା ପୋଲିସର ଚେତାବନୀ, ପୁଣି ଆସିଲେ ପିଟିବୁ

କୋଟିଆରେ ନିର୍ବାଚନ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର
ଭୁବନେଶ୍ୱର:  ଆସନ୍ତା ୧୮ତାରିଖରେ କୋଟିଆରେ ପଡ଼ିବ ଭୋଟ୍ । ପଞ୍ଚାୟତ ସ୍ତରୀୟ ପ୍ରତିନିଧି ବାଛିବେ କୋଟିଆବାସୀ । ହେଲେ ନିର୍ବାଚନ ପୂର୍ବରୁ ଭୋଟ୍ ଭଣ୍ଡୁର କରିବାକୁ ବାଟଖୋଜୁଛି ଆନ୍ଧ୍ର । ବାରମ୍ବାର ବିରୋଧ ସତ୍ତ୍ୱେ ବିଭିନ୍ନ ବାହାନା କରି ଓଡ଼ିଶା ମାଟିକୁ ଆସୁଛନ୍ତି ଆନ୍ଧ୍ର ସରକାରୀ କର୍ମଚାରୀ । କିପରି କୋଟିଆ ଲୋକଙ୍କୁ ପ୍ରଭାବିତ କରି ଭୋଟ୍‌ଦାନରୁ ନିବୃତ ରଖିବ ସେନେଇ ଷଡ଼ଯନ୍ତ୍ର ଚଳାଇଛନ୍ତି । କେତେବେଳେ ସ୍ୱାସ୍ଥ୍ୟକାର୍ଡ ପଞ୍ଜୀକରଣ କଥା କହୁଛନ୍ତି ତ ପୁଣି କେତେବେଳେ ସ୍ୱାସ୍ଥ୍ୟ ଚିକିତ୍ସା କଥା କହି କୋଟିଆରେ ବାରମ୍ବାର ପ୍ରବେଶ କରୁଛନ୍ତି । ଏହି କ୍ରମରେ ବୁଧବାର ସେଠାକାର କେତେକ କର୍ମଚାରୀ କୋଟିଆରେ ଲୋକଙ୍କୁ ଏକଜୁଟ କରୁଥିବାବେଳେ ଓଡ଼ିଶା ପୁଲିସ ହାବୁଡ଼ରେ ପଡ଼ିଥିଲେ । ତେବେ କୋଟିଆରେ ପ୍ରବେଶ ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବା ପାଇଁ ତାଗିଦ କରିଥିଲା ପୁଲିସ । ନଚେତ ଫୋର୍ସ ଲଗାଇ ଜୋରଜବରଦସ୍ତ ହଟାଇ ଦିଆଯିବ ବୋଲି ଚେତାବନୀ ଦେଇଥିଲା ।

ଓଡ଼ିଶା ପୁଲିସର ତାଗିଦା ଦେଖି ଆନ୍ଧ୍ର କର୍ମଚାରୀ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି । ତେବେ ଆଗକୁ ପୁଣି ଆସିଲେ ପିଟିବୁ ବୋଲି ଚରମବାଣୀ ଶୁଣାଇଛି ପୁଲିସ । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, କୋଟିଆରେ କୌଣସି ପ୍ରକାରେ ଭୋଟରଙ୍କୁ ପ୍ରଭାବିତ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖବରମିଳିଛି ଯେ ଆନ୍ଧ୍ର ଟିମ୍ ପଟାଙ୍ଗୀ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କୋଟିଆରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ପାଇଁ କିଏ କେଉଁଠି ପ୍ରତିଦ୍ୱନ୍ଦିତା କରୁଛନ୍ତି, ତାହାର ତଥ୍ୟ ମାଗିଥିଲା । ଟିମ୍‌ରେ ରହିଥିଲେ ସାଲୁର ସିଆଇ ଡି.ରୋହିନୀ ପତି, ରାମା ରାଓ ଓ ଇଶ୍ୱର ରାଓ । ତେବେ ପଟାଙ୍ଗୀ ପ୍ରଶାସନଠାରୁ ସେପରି କୌଣସି ସନ୍ତୋଷଜନକ ତଥ୍ୟ ନ ପାଇ ଏହି ଟିମ୍ ଫେରି ଯାଇଥିବା ଜଣାପଡିଛି ।

କୋଟିଆର ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାର ତାତି ଜୋର ଧରିଥିବା ବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ନିର୍ବାଚନ ଏବେ ରୋଚକ ସ୍ଥିତିରେ । ଉଭୟ ଜିଲ୍ଲା ପରିଷଦ ଓ ସରପଞ୍ଚ ପାଇଁ ଏକାଧିକ ପ୍ରାର୍ଥୀ ଅଛନ୍ତି । ଗୋଟିଏ ପଟେ ସର୍ବଦଳୀୟ ପ୍ରାର୍ଥୀ ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ପ୍ରଚାର ଚଲାଇଛନ୍ତି । ଇଲେକ୍ସନ ନୁହେଁ ସିଲେକ୍ସନ କରିବାକୁ ଚାହୁଁଥିଲେ କୋରାପୁଟ ଜିଲ୍ଲାର ତୁଙ୍ଗ ନେତା । ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିଲେ ସର୍ବଦଳୀୟ କମିଟି । ହେଲେ ପରେ ପ୍ରାର୍ଥୀ ଚୟନକୁ ବିରୋଧ କରି ଏକାଧିକ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ଓ ଜିଲ୍ଲା ପରିଷଦ ପଦ ପାଇଁ ଜଣେ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥର କୋଟିଆରେ କିଏ ବାଜିମାତ କରିବ ତାହା ସ୍ଥାନୀୟ ୨୧ଖଣ୍ଡ ଗ୍ରାମବାସୀ ସ୍ଥିରକରିବେ ।

ସର୍ବଦଳୀୟ କମିଟିର ମନୋନୀତ ପ୍ରାର୍ଥୀ ମମତା ଜାନୀ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । କିଛି ପ୍ରାର୍ଥୀଙ୍କୁ ଆନ୍ଧ୍ର ଏଜେଣ୍ଟମାନେ ଧମକଚମକ ଦେଉଛନ୍ତି । ପ୍ରଶାସନ କହିଛି, କୌଣସି ପରିସ୍ଥିତିରେ କୋଟିଆରେ ବଳପୂର୍ବକ ନିର୍ବାଚନ ବନ୍ଦ୍ କରାଇପାରିବ ନାହିଁ । ସମ୍ବିଧାନ ଅନୁସାରେ ନିର୍ବାଚନ ହେବ ହିଁ ହେବ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି ଏବଂ  ସୁପ୍ରିମ୍‌କୋର୍ଟରେ ମାମଲାର ବିଚାର ଚାଲିଥିଲେ ହେଁ ଆନ୍ଧ୍ରର ଆଭିମୁଖ୍ୟ ବଦଳୁନଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking