ନୂଆଦିଲ୍ଲୀ: ହେଥର୍ ପ୍ରେସ୍ଡି ନାମ୍ନୀ ଜଣେ ୪୧ ବର୍ଷୀୟା ଆମେରିକୀୟ ନର୍ସ, ୧୭ଜଣ ରୋଗୀଙ୍କୁ ଇନ୍ସୁଲିନ୍ର ମାତ୍ରାଧିକ ଡୋଜ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ ପେନ୍ସିଲ୍ଭାନିଆ ସ୍ଥିତ କୋର୍ଟ । ତାଙ୍କ ବିରୋଧରେ ୧୭ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲେ ମଧ୍ୟ ଏଥିମଧ୍ୟରୁ ୩ଜଣଙ୍କ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବାକି ୧୪ଟି ହତ୍ୟାକାଣ୍ଡରେ ସେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନଥିଲେ ମଧ୍ୟ କୋର୍ଟ ଏଭଳି ଏକ ପାଶବିକ ଘଟଣାରେ ଦୋଷୀ ହାରିସନ୍ ପ୍ରେସ୍ଡିଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି । ୩ଟି ହତ୍ୟାକାଣ୍ଡ ଘଟଣାରେ ୩ଥର ଆଜୀବନ କାରାଦଣ୍ଡ ସହ ୩୮୦-୭୬୦ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ସୂଚନାଯୋଗ୍ୟ, ହେଥର ପ୍ରେସ୍ଡି ଭାବେ ନିଯୁକ୍ତ ଥିବା ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ସେ ଡାକ୍ତରଙ୍କ ବିନା ପରାମର୍ଶରେ ଏବଂ ଗୁପ୍ତରେ ମାତ୍ରାଧିକ ଇନ୍ସୁଲିନ୍ ଦେଉଥିଲେ । ଫଳରେ ଓଭର ଡୋଜ୍ ଯୋଗୁ ରୋଗୀଙ୍କ ମୃତ୍ୟୁ ହେଉଥିବା ପରବର୍ତ୍ତୀ ସମୟରେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡୁଥିଲା । ତେବେ କିଏ ଓ କାହିଁକି ରୋଗୀମାନଙ୍କୁ ଏପ୍ରକାର ଇନ୍ସୁଲିନ୍ ଓଭରଡୋଜ୍ ଦେଉଛି ସେନେଇ ତଦନ୍ତ ହେବା ସମୟରେ ରାତି ସିଫ୍ଟ ସମୟରେ କମ୍ କର୍ମଚାରୀ ଥିବା ସମୟରେ ପ୍ରେସ୍ଡି ହିଁ ଏସବୁ କରୁଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ, ପ୍ରେସ୍ଡି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରିବା ନେଇ ମଧ୍ୟ ବାରମ୍ବାର ଅଭିଯୋଗ ହେଉଥିଲା । ତେବେ ଏସବୁ ହତ୍ୟା ଘଟଣାରେ ମାମଲା ରୁଜୁ ହେବା ପରେ ତାଙ୍କ ନର୍ସିଂ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଥିଲା ।