କିଭ୍ : ଅତି ଭୟାନକ ଏହି ଦୃଶ୍ୟ । ଚାରିଆଡ଼େ ଧ୍ୱଂସର ତାଣ୍ଡବ । ଭୂଇଁରେ ଲୋଟି ପଡ଼ିଛି ଉଚ୍ଚ ଉଚ୍ଚ ଅଟ୍ଟାଳିକା । ସବୁଠି ପୀଡ଼ା ଆଉ ଯନ୍ତ୍ରଣା । ସାଧାରଣ ନାଗରିକଙ୍କର ହାହାକାର ଅବସ୍ଥା । ଏହାରି ଭିତରେ ଦେଶ ଛାଡ଼ି ଗଲେଣି ଲକ୍ଷ ଲକ୍ଷ ଲୋକ । ଲଗାତାର ରୁଷର ଆକ୍ରମଣରେ ଧରାଶାୟୀ ହୋଇପଡ଼ିଛି ୟୁକ୍ରେନ । ମିସାଇଲ ମାଡ଼ରେ ରାଜଧାନୀ କିଭ୍ର ପାୱାର ହାଉସ୍ ବର୍ବାଦ ହୋଇଯାଇଛି । ବିଜୁଳି ନାହିଁ କି ପାଣି ନାହିଁ । ଖାଦ୍ୟପେୟ ପାଇଁ ବି କେହି କିଛି ବନ୍ଦୋବସ୍ତ କରିପାରୁ ନାହାନ୍ତି । ଜୀବନ ବଞ୍ଚାଇବା ପାଇଁ ଲୋକେ ନିଜ ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି । କିଭ୍ର ଉପନଗର ବୁଚାର ମେୟର ଅନାତୋଲ ଫେଦୋରୁକ କହିଛନ୍ତି, ଏଠାରେ ପରିସ୍ଥିତି ଏକଦମ୍ ଖରାପ ରହିଛି । ରୁଷୀୟ ସେନା ଦିନରାତି ବୋମା ଓ ମିସାଇଲ ମାଡ଼ କରି ଚାଲିଛନ୍ତି । ଏହି କାରଣରୁ ଆମେ ମୃତଦେହଗୁଡ଼ିକୁ ବି ଏକତ୍ରିତ କରିପାରୁ ନାହୁଁ । ରାସ୍ତା ଉପରେ ପଡ଼ିଥିବା ଶହ ଶହ ଶବକୁ କୁକୁରମାନେ ଝୁଣି ଝୁଣି ଖାଉଛନ୍ତି।
ମିଳିତ ଜାତିସଂଘ ୪୦୬ ନାଗରିକଙ୍କ ମୃତ୍ୟୁ ଘଟିଥିବା ନେଇ ନିଶ୍ଚିତ କରିଥିଲା । ୮୦୧ ଆହତ ବୋଲି ଦର୍ଶାଇଥିଲା । ଯଦିଓ ବାସ୍ତବିକ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ୟୁକ୍ରେନରେ ଯୁଦ୍ଧ ମାହୋଲ ଭିତରେ ଲୋକମାନେ ନା କେବଳ ଦେଶ ଛାଡ଼ି ପଳାଉଛନ୍ତି, ବରଂ ୟୁକ୍ରେନ ଭିତରେ ମଧ୍ୟ ବସ୍ ଏବଂ ଟ୍ରେନ ଯୋଗେ ପଶ୍ଚିମ ସହର ଲୁଭୟୁ ଅଭିମୁଖେ ଯାତ୍ରା କରୁଛନ୍ତି । ଲଭିଭ୍ର ମେୟର ଆନ୍ଦ୍ରେ ସଦୋଭି କହିଛନ୍ତି, ଏଠାରେ ପାଖାପାଖି ୨ ଲକ୍ଷ ଲୋକ ଘର ଛାଡ଼ି ପଳାୟନ କରିଛନ୍ତି । ଲୋକେ ବର୍ତ୍ତମାନ ସ୍କୁଲ, ହସ୍ପିଟାଲ ଏବଂ ଖେଳ ପଡ଼ିଆରେ ଲୁଚି ରହିଛନ୍ତି । ସହରରେ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇର କୌଣସି ବ୍ୟବସ୍ଥା ବି ନାହିଁ ।