ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୧୦୬ ପୌରପାଳିକା ସଂସ୍ଥା ଓ ୩ ମହାନଗର ନିଗମ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ୧୦୬ ପୌରପାଳିକା ସଂସ୍ଥା ମଧ୍ୟରେ ୫୯ ଏନ୍ଏସି ଓ ୪୭ ପୌର ପରିଷଦ ରହିଛି । ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।
ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଗତ ୨୫ ତାରିଖରୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ୍ ହେବାକୁ ଥିବା ସବୁ ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଯାହାକି ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ ମାମଲା କୋର୍ଟରେ ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ୍ ଗଣତି ମାର୍ଚ୍ଚ ୨୬ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି । ଏଥର ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପୌରାଞ୍ଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ଏଥର ଭୋଟର୍ ଚାହିଁଲେ, ନିଜ ପସନ୍ଦରେ ନୋଟା (ନନ୍ ଅଫ୍ ଦି ଏଭବ୍)ର ଉପଯୋଗ ମଧ୍ୟ କରିପାରିବେ ।