ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଅନାଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଛି ସିବିଏସ୍ଇ। କରୋନା ଯୋଗୁ ଯେଉଁମାନେ ଅନାଥ ହୋଇଯାଇଛନ୍ତି, ସେମାନଙ୍କୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କୌଣସି ପ୍ରକାରର ଫି’ କିମ୍ବା ପଞ୍ଜିକରଣ ବାବଦ ଅର୍ଥ ଦେବାକୁ ପଡ଼ିବ ନାହିଁ। ସେମାନେ ସଂପୂର୍ଣ୍ଣ ମାଗଣାରେ ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ। କରୋନା ପିଲାମାନଙ୍କ ଜୀବନକୁ ପ୍ରଭାବିତ କରିଛି।
ଏହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିବିଏସ୍ଇ ଏପରି ନିଷ୍ପତ୍ତି ନେଇଛି। ଯେଉଁ ପିଲାମାନଙ୍କ ବାପା ମା’ କିମ୍ବା ପରିବାରର ଦେଖାଶୁଣା କରୁଥିବା ଅଭିଭାବକ, ଲିଗାଲ ଅଭିଭାବକ କରୋନାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଠାରୁ ପରୀକ୍ଷା ପାଇଁ କୌଣସି ପ୍ରକାରର ଫି’ ନିଆଯିବ ନାହିଁ। ସ୍କୁଲ ପକ୍ଷରୁ ଯୋଗ୍ୟ ପିଲାମାନଙ୍କ ବିଷୟରେ ଯାଞ୍ଚ କରାଯିବ। ଏହାପରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଚାହୁଁଥିବା ଏହି ବର୍ଗର ପିଲାମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।