ଫୁଲବାଣୀ : କନ୍ଧମାଳ ଜିଲ୍ଲାର ୬୦ ଭାଗ ହେଉଛି ଜଙ୍ଗଲ । ଏହା ସମସ୍ତଙ୍କ ଜଣା । ଜିଲ୍ଲାରୁ ପ୍ରତ୍ୟେକ ଦିନ ବନ ବିଭାଗର ଜାଣତରେ ହେଉ କିମ୍ବା ଅଜାଣତରେ ବିଭିନ୍ନ ଜଙ୍ଗଲରୁ କାଠ ଚାଲାଣ ହେବା ଏକ ସାଧାରଣ କଥା ହୋଇଛି । କେବଳ ସେତିକି ନୁହେଁ , ରାସ୍ତା ପାଶ୍ୱର୍ରେ ମଧ୍ୟ ଗଦା ଗଦା କାଠ ଗଣ୍ଡି ପଡ଼ିଥିବାର ଦେଖାଯାଇଛି । କାଠ ପାଇଁ ବେଶ୍ ପରିଚିତ ଥିଲେ ମଧ୍ୟ ଖୋଦ୍ କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀଠାରେ ଥିବା କାଠ ଡିପୋରେ ଶବଦାହ ପାଇଁ ଖଣ୍ଡିଏ ମଧ୍ୟ କାଠ ନାହିଁ । ଯାହାକି ସମସ୍ତଙ୍କୁ ଚକିତ କରିଛି । ଖୋଦ୍ ଫୁଲବାଣୀ ସହରରେ ଏହି ସମସ୍ୟା ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳମାନଙ୍କରେ କଣ ପରିସ୍ଥିତି ଥିବ ତାହା ସହଜେ ଅନୁମେୟ ବୋଲି ମଧ୍ୟ ସାଧାରଣରେ କୁହାଯାଇଛି । ପ୍ରତିଦିନ ସହରର ବିଭିନ୍ନ ଅଞ୍ଚଳର ଲୋକେ ଶବଦାହ ପାଇଁ କାଠ ପାଇଁ ଯାଇ ସେଠାରେ ନିରାଶ ହୋଇ ଫେରୁଥିବା ବେଳେ ବିଭାଗ ପକ୍ଷରୁ ଏହାକୁ କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉନାହିଁ । କେବଳ ଶବଦାହ ପାଇଁ ନୁହେଁ , ବିଭିନ୍ନ ସମୟରେହେଉଥିବା ବିିଭିନ୍ନ ସାମାଜିକ କାର୍ଯ୍ୟପାଇଁ କାଠର ଆବଶ୍ୟକ ଯୋଗୁଁ ଲୋକେ କାଠ ଡ଼ିପୋକୁ ଯାଇ ବାରମ୍ବାର ନିରାଶ ହୋଇ ଫେରିବା ଏକ ସୁବୁଦିନିଆ ହୋଇ ଯାଇଛି । ତେବେ ଭୋଜିଭାତ ପାଇଁ ଗ୍ୟାସର ବିକଳ୍ପ ଥିବା ଯୋଗୁଁ ଏହା ଅନେକଙ୍କ କିଛି ମାତ୍ରରେ ସହଯୋଗ ହୋଇ ପାରୁଛି କିନ୍ତୁ ଶବଦାହ ପାଇଁ ଫୁଲବାଣୀ ସହରରେ ଅନ୍ୟ କୌଣସି ପ୍ରକାର ବ୍ୟବସ୍ଥା ନଥିବା ଯୋଗୁଁ ସବୁ ଅଞ୍ଚଳବାସୀ ସଂପୂର୍ଣ୍ଣଭାବେ କାଠ ଉପରେ ନିର୍ଭର କରିଥାନ୍ତି । କରୋନା ସମୟରେ ମଧ୍ୟ ଏଭଳି ସ୍ଥିତି ଯୋଗୁଁ କାଠ ପାଇଁ ଖୋଦ୍ ଜିଲ୍ଲା ପ୍ରଶାସନକୁ ନାକେଦମ ହୋଇ ପଡ଼ିଥିବା ବେଳେ ସାଧାରଣ ଜନତାଙ୍କ କଥା କିଏ ପଚାରେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏଭଳି ସ୍ଥଳେ ଗତ କିଛିଦିନ ହେଲା ଫୁଲବାଣୀ ସହରର ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ଥିବା ଏକମାତ୍ର ଡିପୋରେ କାଠ ଟିଏ ମଧ୍ୟ ନଥିବା ଯୋଗୁଁ ସାଧାରଣ ଜନତା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋଦ୍ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ସମାଜସେବୀ ଭି.ଜନ୍ନାନାଥ ରାଜୁ , ସାଇରାମ ପାତ୍ର , ମାନସ ପୃଷ୍ଟିଙ୍କ ଭଳି ବହୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଥି ସହିତ ଗତ କିଛିଦିନ ହେଲା ଉକ୍ତ ଡିପୋରେ କାଠ କଣ କାଠି ଖଣ୍ଡିଏ ମଧ୍ୟ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବହୁ ସ୍ୱେଚ୍ଛାସେବୀ । ତେବେ ଉକ୍ତ କାଠ ଡିପୋ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଘଟଣା ଅଭିଯୋଗ ନେଇ ବାରମ୍ବାର ଫୋନ୍ ଲଗାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଅନ୍ୟପକ୍ଷରେ ଡିପୋରେ କାଠ ସମସ୍ୟାକୁ ନେଇ ବିଭିନ୍ନ ସଂଗଠନ ଏବେ ଆନ୍ଦୋଳନ ପାଇଁ ମଧ୍ୟ ଏକଜୁଟ୍ ହେଉଥିବାର ଖବର ମିଳିଛି ।