ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀମାନେ ପୁଣି ଖେଳିଲେ ଆଇନ୍ର ଚାଲ । ଯାହା ଆଶଙ୍କା କରା ଯାଉଥିଲା ଶେଷରେ ତାହାହିଁ ଘଟିଛି। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଗଣଦୁଷ୍କର୍ମକାରୀମାନେ ଦଣ୍ଡାଦେଶକୁ ଆହୁରି ବିଳମ୍ବିତ କରିବା ପାଇଁ ଗଳାବାଟର ସୁଯୋଗ ନେଇ ଆଉଥରେ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।
ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ୪ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧ ତାରିଖ, ସକାଳ ୬ରେ ଫାଶୀରେ ଝୁଲାଇବା ପାଇଁ ଅଦାଲତ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଥିବା ବେଳେ, ଆଜି ଚାରି ଜଣ ଦୋଷୀଙ୍କ ମଧ୍ୟରୁ ପଓ୍ଵନ ଓ ଅକ୍ଷୟ ପୁଣି ଥରେ ସେମାନଙ୍କ ଓକିଲ ଏ ପି ସିଂହଙ୍କ ଜରିଆରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଦୋଷୀ ପଓ୍ଵନ ଓ ଅକ୍ଷୟଙ୍କ ପକ୍ଷରୁ ଆଇନଜୀବୀ ଏ ପି ସିଂହ ଦିଲ୍ଲୀର ପାଟିଆଲା ହାଉସ କୋର୍ଟରେ ଏକ ଯାଚିକା ଆଗତ କରି ଅଭିଯୋଗ କରିଛନ୍ତି ଯେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ‘ରାଜକ୍ଷମା’ ଆବେଦନ କରିବାରେ ବିଳମ୍ବ ଘଟୁଛି। ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀ ପଓ୍ଵନ ଓ ଅକ୍ଷୟଙ୍କୁ ସେମାନଙ୍କ ମାମଲାର ଦଲିଲ ଅଦ୍ୟାବଧି ଯୋଗାଇ ପାରି ନଥିବାରୁ ସେମାନେ ‘କ୍ୟୁରେଟିଭ୍ ପିଟିସନ’ ଓ ‘ରାଜକ୍ଷମା’ ଆବେଦନ କରିପାରି ନାହାନ୍ତି। ଦିଲ୍ଲୀର ପାଟିଆଲା ହାଉସ କୋର୍ଟର ବିଚାରପତି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତାକାଲି କରିବେ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ ନଜର ଆସନ୍ତାକାଲି ପାଟିଆଲା ହାଉସ କୋର୍ଟରେ ହେବାକୁ ଥିବା ଶୁଣାଣି ଓ ବିଚାରପତିଙ୍କ ରାୟ ଉପରେ ରହିଛି।