ଲକ୍ଷ୍ନୌ: ଆଇପିଏଲ୍ ୨୦୨୪ କାର୍ଯ୍ୟସୂଚୀ ଘୋଷଣା ପରେ ଟିମ୍ଗୁଡ଼ିକ ନିଜ ପ୍ରସ୍ତୁତି ଜୋର୍ଦାର କରିଛନ୍ତି । ଏହା ମଧ୍ୟରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ (ଏଲ୍ଏସ୍ଜି) ଏକ ବଡ଼ ଘୋଷଣା କରିଛି । ଟିମ୍ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ୍ ପୂରନ୍ଙ୍କୁ ଆଗାମୀ ସିଜନ୍ ପାଇଁ କେଏଲ୍ ରାହୁଲଙ୍କ ଡେପୁଟି ଭାବେ ଭାଇସ୍ କ୍ୟାପ୍ଟେନ୍ ନିଯୁକ୍ତ କରିଛି । ଚଳିତ ସିଜନ୍ରେ ରାହୁଲ ଟିମ୍ର ନେତୃତ୍ୱ ନେବେ । ଅବଶ୍ୟ ସେ ଏବେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି ଏବଂ ସର୍ଜରୀ ପାଇଁ ଲଣ୍ଡନ ଯାଇଛନ୍ତି । ଆଇପିଏଲ୍ ପୂର୍ବରୁ ସେ ଫିଟ୍ ହେବାର ସମ୍ଭାବନା ରହିଛି ।
ଆଇପିଏଲ୍ ୨୦୨୩ର ପ୍ରାରମ୍ଭିକ ମ୍ୟାଚ୍ରେ ନେ ଟିମ୍ର ନେତୃତ୍ୱ ନେଇଥିଲେ ମଧ୍ୟ ପରେ ଆଘାତ କାରଣରୁ ବାଦ୍ ପଡ଼ିଥିଲେ ଏବଂ କୃଣାଳ ପାଣ୍ଡ୍ୟା ଏହି ଦାୟିତ୍ୱ ତୁଲାଇଥିଲେ । ଯଦି ରାହୁଲ ଚଳିତ ସିଜନ୍ର କିଛି ମ୍ୟାଚ୍ ମିସ୍ କରନ୍ତି, ତେବେ ନିକୋଲାସ୍ ପୂରନ୍ ହିଁ କ୍ୟାପ୍ଟେନ୍ ଦାୟିତ୍ୱ ତୁଲାଇବେ । ଆଇପିଏଲ୍ରେ ବର୍ତ୍ତମାନ ସୁଦ୍ଧା ଦୁଇଟି ସିଜନ୍ ଖେଳିଥିବା ଏଲ୍ଏସ୍ଜିର ପ୍ରଦର୍ଶନ ଠିକ୍ଠାକ୍ ରହିଛି । କିନ୍ତୁ ଟିମ୍ ଟାଇଟଲ୍ ଜିତିବରେ ବିଫଳ ହୋଇଛି । ଗତ ସିଜନ୍ରେ ଟିମ୍ ପ୍ଲେଅଫ୍ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା ।